ସ୍ଥିତି ସଙ୍ଗିନ, ମାଡୁଛି ମହାମାରୀ : ଦୈନିକ ଆସୁଛନ୍ତି ୨୦ହଜାର

-ସ୍କ୍ରିନିଂ, ପରୀକ୍ଷଣ ବନ୍ଦ,-ବାଧ୍ୟତାମୂଳକ ସରକାରୀ ସଙ୍ଗରୋଧ ନାହିଁ

ଭୁବନେଶ୍ବର : ରାଜଧାନୀର ସ୍ଥିତି ସାଂଘାତିକ। ଚାରିଆଡ଼େ ସାହାଣମେଲା। ସଂକ୍ରମିତ ବାହାରେ ବୁଲୁଛନ୍ତି। ଏଥିରେ ଲଗାମ ନାହିଁ। ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍‌ ଏବଂ ଅନ୍ୟାନ୍ୟ ଯାନ ଯୋଗେ ଭୁବନେଶ୍ବରକୁ ପ୍ରାୟ ୨୦ହଜାର ଆସୁଛନ୍ତି। ଏମାନଙ୍କ ନା ଥର୍ମାଲ ସ୍କ୍ରିନିଂ ହେଉଛି ନା କୋଭିଡ ପରୀକ୍ଷା। ବିମାନ ବନ୍ଦର ଓ ରେଳ ଷ୍ଟେସନରେ କେବଳ ନାମକୁ ମାତ୍ର ଯାଞ୍ଚ ଓ ପଞ୍ଜୀକରଣ କରାଯାଉଛି। ତାହାପୁଣି ସମସ୍ତ ଯାତ୍ରୀଙ୍କ କ୍ଷେତ୍ର‌େ‌ର ନୁ‌େହଁ। ଏକାଥରେ ବହୁ ଯାତ୍ରୀ ଆସୁଥିବାରୁ ସମସ୍ତଙ୍କ ନାମ ପଞ୍ଜୀକରଣ ପାଇଁ ବିଏମ୍‌ସିର ବ୍ୟବସ୍ଥା ସକ୍ଷମ ନୁହେଁ ବୋଲି ଯାତ୍ରୀ ଅଭିଯୋଗ କରିଛନ୍ତି।
ବିଏମ୍‌ସି ରେଳ ଷ୍ଟେସନରେ ୮ଟି ଏବଂ ବିମାନର ବନ୍ଦରରେ ୪ଟି କାଉଣ୍ଟର ଖୋଲିଛି। ଏଠାରେ ଦୁଇଟି ଲେଖାଏଁ ସିଫ୍ଟରେ ଯାତ୍ରୀଙ୍କ ଆର୍‌ଟିପିସିଆର ନେଗେଟିଭ ରିପୋର୍ଟ ଏବଂ ଦୁଇଡୋଜ୍‌ ଟିକା ନେଇଛନ୍ତି ନା ନାହିଁ ଯାଞ୍ଚ ହେଉଛି। ଯେଉଁମାନଙ୍କର ଉକ୍ତ ରିପୋର୍ଟ ନାହିଁ ସେମାନଙ୍କ ନାମ ପଞ୍ଜୀକରଣ କରାଯାଉଛି। ୭ଦିନ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି। ହେଲେ ସେମାନେ କ୍ବାରେଣ୍ଟାଇନରେ ରହୁଛନ୍ତି ନା ନାହିଁ ତାହା ଦେଖିବାକୁ ବିଏମ୍‌ସିର ବ୍ୟବସ୍ଥା ନାହିଁ। ପରବର୍ତ୍ତୀ ସମୟ‌େ‌ର ଦେହ ଅସୁସ୍ଥ ହେଲେ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଉଛି, କିନ୍ତୁ ସେମାନେ ପରୀକ୍ଷା କରୁଛନ୍ତି ନା ନାହିଁ କେହି ଦେଖିବାକୁ ନାହିଁ। ସେହିପରି ବସ୍‌, କାର୍‌ ଏବଂ ବାଇକ୍‌ ଯୋଗେ ଆସୁଥିବା ଯାତ୍ରୀଙ୍କ ପାଇଁ କିଛି ବି କଟକଣା ନାହିଁ। ସେମାନେ ନିର୍ଭୟରେ ବାହାରେ ବୁଲାବୁଲି କରୁଛନ୍ତି। ଯାହାଫଳରେ ବର୍ତ୍ତମାନ ରାଜଧାନୀରେ କୋଭିଡ ସ୍ଥିତି ଭୟାବହ ହେବାରେ ଲାଗିଛି। ଆଗାମୀ ଦୁଇମାସ ପର୍ଯ୍ୟନ୍ତ ସଂକ୍ରମଣ ତୀବ୍ର ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ଭୁବନେଶ୍ବର ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ, ବର୍ତ୍ତମାନ ୧୭ରୁ ଅଧିକ ଟ୍ରେନ୍‌ ଚଳାଚଳ କରୁଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି, ଷ୍ଟେସନର ୮ଟି କାଉଣ୍ଟରରେ ମାତ୍ର ୫ହଜାର ଯାତ୍ରୀଙ୍କ ଯାଞ୍ଚ ହେଉଥିବା ବେଳେ ଦୁଇହଜାର ଯାତ୍ରୀଙ୍କ ନାମ ପଞ୍ଜୀକରଣ ହେଉଛି। ସେହିପରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୭ହଜାରରୁ ଅଧିକ ଯାତ୍ରୀଙ୍କ ଆଗମନ ହେଉଥିବାବେଳେ ଏହାର ଅଧା ଯାତ୍ରୀଙ୍କ ଯାଞ୍ଚ ଏବଂ ୩୦ ପ୍ରତିଶତ ଯାତ୍ରୀଙ୍କ ନାମ ପଞ୍ଜୀକରଣ ହୋଇପାରୁଛି। ସେହିଭଳି ଘରୋଇ କାର୍‌, ବାଇକ୍‌ ଦ୍ବାରା ଶହ ଶହ ସଂଖ୍ୟାରେ ପ୍ରବାସୀ ଫେରୁଛନ୍ତି। ଫେରନ୍ତା ୭ଦିନ କ୍ବାରେଣ୍ଟାଇନରେ ରହିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ଏହା ଅନୁପାଳନ ହେଉଛି ନା ନାହିଁ ତାହା ଯାଞ୍ଚ ହେଉନାହିଁ। ପୂର୍ବପରି ସରକାରୀ କ୍ବାରେଣ୍ଟାଇନ ବ୍ୟବସ୍ଥା ନାହିଁ। ନାମ ପଞ୍ଜୀକରଣ ପାଇଁ ଶିବିର ପଡ଼ୁନାହିଁ। ଫେରନ୍ତା ଏହାର ଫାଇଦା ନେଇ ବିନା‌ ଭୟରେ ବୁଲୁଛନ୍ତି। ସେମାନଙ୍କ ଦ୍ବାରା ସଂକ୍ରମଣ ବୃଦ୍ଧି ପାଉଥିବା ସାଧାରଣ‌େର ଅଭିଯୋଗ ହୋଇଛି।
ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ବିମାନ ବନ୍ଦର ଓ ରେଳ ଷ୍ଟେସନରେ ଯାଞ୍ଚ କରାଯାଉଛି। ୭୨ଘଣ୍ଟା ତଳର ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ଆଣିବାକୁ ଯାତ୍ରୀଙ୍କୁ କୁହାଯାଇଛି। ଫେରନ୍ତା ୭ ଦିନ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି। କୋଭିଡ ଷ୍ଟିକର ଲଗାଇବା ନିମନ୍ତେ ସରକାର ନିଷ୍ପତ୍ତି ନେବେ।

Comments are closed.