କରୱାଚୌଥରେ ଚୌଥ ମାତାଙ୍କୁ ପୂଜା କରି ପାଆନ୍ତୁ, ସୁଖମୟ ବୈବାହିକ ଜୀବନର ଆଶୀର୍ବାଦ

କରୱାଚୌଥର ବ୍ରତରେ ଚୌଥ ମାତାଙ୍କୁ ପୂଜାର୍ଚ୍ଚନା କରାଯାଏ। ଚୌଥ ମାତା ଭଗବାନ ଶିବଙ୍କ ପତ୍ନୀ ମା’ ପାର୍ବତୀଙ୍କ ଏକ ରୂପ ବୋଲି କୁହାଯାଏ। ମା’ଙ୍କ ମନ୍ଦିର ରାଜସ୍ଥାନର ମାଧୋପୁରରେ ଥିବା ପାହାଡ଼ ଶିଖରେ ଉପରେ ଅବସ୍ଥିତ। ଏହି ମନ୍ଦିରଟି ୧୪୫୧ରେ ଜଣେ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା ରାଜସ୍ଥାନର ବହୁ ପ୍ରାଚୀନ ମନ୍ଦିର ମାନଙ୍କ ମଧ୍ୟରୁ ଗୋଟିଏ। ଜାଣନ୍ତୁ କେଉଁ କାରଣରୁ କରୱାଚୌଥ ଦିନ ମା’ଙ୍କ ଏହି ମନ୍ଦିରକୁ ଦର୍ଶନ ପାଇଁ ଭକ୍ତମାନେ ଆସିଥାଆନ୍ତି।
ଏହି ମନ୍ଦିରରେ କରୱାଚୌଥ ଦିନ ମା’ଙ୍କୁ ସୁନ୍ଦର ନବ ବଧୂ ଭଳି ସଜ୍ଜା ଯାଇଥାଏ। ଏହି ରୂପରେ ମା’ଙ୍କୁ ଦର୍ଶନ କଲେ ବୈବାହିକ ଜୀବନ ସୁଖମୟ, ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ମା’ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ମାଧୋପୁରର ମେଳା –
କରୱାଚୌଥ ଅବସରରେ ମାଧୋପୁରରେ ମେଳାର ଆୟୋଜନ କରାଯାଏ। ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।
ଚୌଥମାତା ମା’ଙ୍କ ମନ୍ଦିରର ଉଚ୍ଚତା ଭୂମି ଠାରୁ ୧୧୦୦ ଫିଟ ଓ ଏହି ମନ୍ଦିରକୁ ଯିବା ପାଇଁ ପ୍ରାୟ ୭୦୦ ପାହାଚ ମଧ୍ୟ ରହିଛି। ଏହି ମନ୍ଦିରର ଭଗବାନ ଗଣେଶ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ରହିଛି।
ବର୍ଷ ସାରା ଏହି ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପ୍ରାୟ ୫୬୭ ବର୍ଷ ପୁରୁଣା ଏହି ମନ୍ଦିରର ବାସ୍ତୁକଳା ଦେଖିଲେ ମନ ଆନନ୍ଦ ବିଭୋର ହୋଇଯାଏ। ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ଖୁବ ସୁନ୍ଦର।
ଏଠାକାର ସ୍ଥାନୀୟଲୋକଙ୍କ ମାନ୍ୟତା ଅନୁଯାୟୀ, ଏହି ମନ୍ଦିରରେ ବହୁ ବର୍ଷରୁ ଏକ ଅଖଣ୍ଡ ଜ୍ୟୋତି ଜଳୁଛି ଏବଂ କରୱାଚୌଥ ଦିନ ଏହି ଜ୍ୟୋତିର ଚମକ ଦ୍ୱିଗୁଣିତ ହୋଇଯାଏ। ଏତଦ ବ୍ୟତୀତ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏଠାକାର ଲୋକେ ମା’ଙ୍କୁ ଦର୍ଶନ କରିଥାଆନ୍ତି, ଏପରି କରିବା ଦ୍ୱାରା କାର୍ଯ୍ୟରେ ଥିବା ବାଧାବିଘ୍ନ ଦୂର ହେବା ସହ ସଫଳତା ମିଳିଥାଏ ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।

Comments are closed.