ଡବଲ ମର୍ଡର ଘଟଣା: ଅନୁପ ଏବଂ ମୃତ କଳ୍ପନାଙ୍କ ସମ୍ପର୍କୀୟଙ୍କୁ ନୋଟିସ

ବ୍ରଜରାଜନଗର: ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଓଡିଶା ଆସି ବ୍ରଜରାଜନଗରରେ ଛାନଭିନ କରିଛି ଆଜି ଛତିଶଗଡ଼ ପୁଲିସ। ଏଥିସହ ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଦୁଇ ବ୍ୟାଙ୍କ ଆକାଉଣ୍ଟଥିବା ବ୍ରଜରାଜନଗର ସ୍ଥିତ ଏସବିଆଇ ଓ ୟୁକୋ ବ୍ୟାଙ୍କ ଶାଖାରେ ପହଞ୍ଚି ଛାନଭିନ କରିଛି। ଏହାସହ ମୃତ କଳ୍ପନାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇମଧ୍ୟ ଛାନଭିନ କରିଥିବା ସୂଚନା ମିଳିଛି। ଛାନଭିନ ପରେ ଅନୁପଙ୍କ ପୁତୁରାଙ୍କୁ ନୋଟିସ କରିଛି ଛତିଶଗଡ଼ ପୋଲିସ । ଆସନ୍ତାକାଲି ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ସେହିପରି ମୃତ କଳ୍ପନାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ନୋଟିସ କରିଛି ପୋଲିସ । ଚକ୍ରଧରପୁର ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି ।

ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଛତିଶଗଡ ପୁଲିସ ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କୁ ଗିରଫ କରିସାରିଥିବା ବେଳେ ଏହି ହତ୍ୟାକାଣ୍ଡରେ ଆଉ ଜଣଙ୍କର ହାତ ଥିବା ସନ୍ଦେହ କରିଛି ପୁଲିସ। ଏହି ଘଟଣାରେ ଏକ ବୋଲେରୋ ଗାଡି ବ୍ୟବହୃତ ହୋଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ଛତିଶଗଡ ପୁଲିସ ଡ୍ରାଇଭର ବର୍ମନ ଟପ୍ପୋକୁ ଗିରଫ କରିବା ପରେ ଜାଣିବାକୁ ପାଇଛି ଏଥିରେ ଆଉ ଏକ ଇନୋଭା ଗାଡି ବ୍ୟବହୃତ ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କ ସମେତ ଆଉ ଜଣଙ୍କ ସଂପୃକ୍ତି ଥିବା ସୂଚନା ଦେଇଛନ୍ତି ରାୟଗଡ ଏସପି ସନ୍ତୋଷ ସିଂ । ଏଣୁ ପୁଲିସ ଉଭୟ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କୁ ରିମାଣ୍ଡରେ ଆଣି ସାମ୍ନାସାମ୍ନି ଜେରା କରିବ ପୁଲିସ । ଆବଶ୍ୟକ ପଡିଲେ ଉଭୟଙ୍କୁ ଓଡ଼ିଶା ନିଆଯିବ ବୋଲି ଏସପି ସନ୍ତୋଷ ସିଂ କହିଛନ୍ତି । ତେବେ ଗତକାଲି ହତ୍ୟାକାଣ୍ଡର ଡେମୋ ଦେଖାଇବା ପାଇଁ ଘଟଣାସ୍ଥଳରେ ଡ୍ରାଇଭରକୁ ନେଇଥିଲା ପୁଲିସ ।

Comments are closed.