ନୂଆ କୃଷି ଆଇନକୁ ବିରୋଧ; ଆଜି ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଦିଲ୍ଲୀକୁ ସଂଯୋଗ ହୋଇଥିବା ରେଳ ପଥଗୁଡ଼ିକୁ ୪ ଘଣ୍ଟା ପାଇଁ ଅବରୋଧ କରାଯାଇଛି। ଗୁରୁବାର କୃଷକ ସଂଗଠନଗୁଡ଼ିକ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ରେଳ ରୋକ୍ କରାଯାଇଥିଲା। ଆଜି ଭୁବନେଶ୍ବର ରେଳ ଷ୍ଟେସନ୍‌ରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ୪ ଘଣ୍ଟିଆ ରେଳ ରୋକ କରାଯାଇଥିଲା। ଆମ ଅଧିକାର ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା, ସିପିଆଇ, ନବନିର୍ମାଣ କୃଷକ ସଂଗଠନ, ଭାରତୀୟ ମଜଦୂର ୟୁନିୟନର ଓଡ଼ିଶା ଶାଖା, ସିପିଆଇଏମ୍‌ ଆଦି ସଂଗଠନଗୁଡ଼ିକ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ବିିଭିନ୍ନ ଟ୍ରେନ୍‌ ଅଟକ ରଖିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଧାରଣାସ୍ଥଳରୁ ହଟାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବଭାବିକ ହୋଇଥିଲା।


ଆଜି ଅନୁଷ୍ଠିତ ହୋଇଥିବା ରେଳ ରୋକରେ ଦେଶର ସମସ୍ତ ପ୍ରାନ୍ତରରୁ କୃଷକ ସଂଗଠନମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। କୃଷକ ସଂଗଠନର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ଟ୍ରାକ ଉପରେ ଶୋଇ ରହି ଟ୍ରେନ୍ ଅଟକାଇଥିଲେ। ଫଳରେ ଭୁବନେଶ୍ବର ସମେତ ଦିଲ୍ଲୀରେ ରେଳ ସେବା ବାଧାପ୍ରାପ୍ତ ହୋଇଛି। ରେଳ ବିଭାଗ ପକ୍ଷରୁ ଦିଲ୍ଲୀରେ ୪ ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିଲା। ଏହାସହ ନଙ୍ଗଲୋଇ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକାଂଶ ସ୍ଥାନରେ ରେଳ ଅଟକି ରହିଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ କୃଷକମାନେ ଏହି ବିଲ୍‌କୁ ବିରୋଧ କରି ଦୀର୍ଘ ୩ ମାସ ହେବ ଧାରଣାରେ ବସିଥିବା ବେଳେ ଏନେଇ ସରକାରଙ୍କ ସହ ୧୧ ଥର ବୈଠକ ବସି ସାରିଛି। ହେଲେ ଏହି ବୈଠକରୁ କିଛି ସୁଫଳ ମିଳୁ ନଥିବାରୁ କୃଷକମାନେ ସେମାନଙ୍କର ଆନ୍ଦୋଳନର ତରିକା ବଦଳାଇବାରେ ଲାଗିଛନ୍ତି। ପ୍ରଥମେ ଟ୍ରାକ୍ଟର ରାଲି, ତା ପରେ ଚକା ଜାମ୍ ଓ ଆଜି ରେଳ ରୋକ କରି କୃଷକ ସଂଗଠନ ମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି।

ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନର ପ୍ରମୁଖ ସ୍ଥଳ ସିଂଘୁ ସୀମାରେ କେତେକ ଆନ୍ଦୋଳନକାରୀ ପୁଲିସ ଉପରେ ଘାତକ ଆକ୍ରମଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଆନ୍ଦୋଳନକାରୀ ପୁଲିସ କାର୍‌ ନେଇ ଖସି ପଳାଇବାକୁ ଉଦ୍ୟମ କରିବା ସହ ପୁଲିସ କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ପୁଲିସ ଆକ୍ରମଣକାରୀକୁ ଗିରଫ କରି ଜେରା ଚଳାଇଛି। ସିଂଘୁ ସୀମାରେ ପୁଣି ଉତ୍ତେଜନା ବଢ଼ୁଥିବାରୁ ପୁଲିସ ମୁତୟନ ମଧ୍ୟ ବଢ଼ିଛି।
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୮୪ ଦିନରେ ପହଞ୍ଚିଛି ଏବଂ ଆନ୍ଦୋଳନର ଅବସାନ ପାଇଁ ଏବେ ସରକାର ତତ୍ପର ହୋଇ ଉଠିଥିବା ଜଣାପଡ଼ିଛି।

Comments are closed.