ରଥଖଳା ଖବର : ଅଖରେ ଲାଗିଲା ଚକ

ପୁରୀ : ତିନି ରଥ ନିର୍ମାଣ ପାଇଁ ୨୧ ଅଖରେ ୪୨ଚକ ଲଗାଯାଇଛି। ଚକ ଦୁଇପାର୍ଶ୍ବରେ କାଠଆଡି ଦିଆଯାଇଛି । ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଅଖସହ ଚକ ସଂଯୋଗ କରିଛନ୍ତି। ମହାରଣାଙ୍କ ଦ୍ବାରା ଭୂଇଁଚଉତା କାମ ଆରମ୍ଭ ହୋଇଛି । ଖପୁରିଆ କରତକଳରୁ ଭୂଇଁକାଠ ଆସି ପହଞ୍ଚିଛି। ରଥ ଅମିନ ଏବଂ ଭୋଇଙ୍କ ମାଧ୍ୟମରେ ମହାରଣାଙ୍କୁ ଭୂଇଁଚଉତା କାଠ ଯୋଗାଯାଇଛି । ରବିବାରଠାରୁ ସେଥିରେ ସାଲ ଏବଂ ବିନ୍ଧ କରାଯିବ। ଭୂଇଁ କାଠଗୁଡ଼ିକୁ ଚାରିନାହାକା ଉପରେ ସଂଯୋଗ କରାଯିବ । ଚାରିନାହାକା ଚତୁଃପାର୍ଶ୍ବରେ ଚଉଦ ନାହାକା ଲଗାଯିବ। ତାହା ଉପରେ ତିନିଥାକ ଭୂଇଁ ଲଗାଯିବା ବିଧି ରହିଛି । ତେଣୁ ପ୍ରଥମ ଭୂଇଁ, ଦ୍ବିତୀୟ ଭୂଇଁ ଏବଂ ତୃତୀୟ ଭୂଇଁ ନିର୍ମାଣ କରାଯିବ । ରୂପକାର ସେବକଙ୍କ ଦ୍ବାରା ନାଟଗୋଡରେ ରାହୁମୂର୍ତ୍ତି ଖୋଦେଇ ଚାଲିଛି । ମହାରଣା, କରତି ସେବକ ପୋଲାଗୟଳ ଏବଂ ଛନ୍ଦାଗୟଳ ନିର୍ମାଣ କରୁଛନ୍ତି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା ଦଣ୍ଡାକଣ୍ଟା, ଗୟଳକଣ୍ଟା, ଯୋଖା ଏବଂ ଗୋଡିଛାଲ କଣ୍ଟା ପ୍ରସ୍ତୁତ କରାଯାଉଛି। ଶନିବାର ପୁଣିଥରେ ରଥ ନିର୍ମାଣ ସେବକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଆଉ ୪୦ ଗରାବଡୁ, ୯ ଘଣ୍ଟୁଆ ଏବଂ ୧୪ ପରିମଳ କର୍ମଚାରୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି । ୨୫ଜଣ ଘଣ୍ଟୁଆ ସେବକ ଶ୍ରୀମନ୍ଦିର ଭକ୍ତନିବାସରେ କ୍ବାରେଣ୍ଟାଇନରେ ରହିଛନ୍ତି ।

Comments are closed.