ରଥଖଳା ଖବର : ନିରାଡ଼ି ଉପରେ ଗୟଳ ପଡ଼ିଲା

ପୁରୀ  : ନିର୍ମାଣାଧୀନ ତିନିରଥର ନିରାଡ଼ି ଉପରେ ସୋମବାର ଗୟଳ ପକାଯାଇଛି । ଏହାପରେ ଚାରିନାହାକା ଉଠିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ୨୧ ଅଖରେ ୪୨ଚକ ସଂଯୋଗ କରାଯାଇଥିଲା। ସେଥିରେ ଦଣ୍ଡା ପକାଯାଇଥିଲା। ଦଣ୍ଡାଗୁଡିକ ଉପରେ ଗୁଜ ଉଠିଥିଲା। ଗୁଜରେ ନିରାଡି ଲଗାଯାଇ ସୋମବାର ସେଥିରେ ଗୟଳ ମୋଡା ଯାଇଛି। ଦଣ୍ଡାଗୁଡିକରେ କଣ୍ଟା ବାଡିଆ ଯାଇଛି। ପ୍ରତ୍ୟେକ ରଥରେ ସୋମବାର ଦୁଇଟି ଲେଖାଏ ଗୟଳ ପକାଯାଇଛି। ନନ୍ଦିଘୋଷ ଏବଂ ତାଳଧ୍ବଜ ରଥରେ ଆଉ ୧୦ଟି ଲେଖାଏ ଗୟଳ ପକାଯିବ। ଦର୍ପଦଳନରେ ୮ଟି ଗୟଳ ପକାଯିବା ବିଧି ରହିଛି। ଚାରିନାହାକା ଉଠିବା ପାଇଁ ପ୍ରସ୍ତୁତି ଶେଷହୋଇଛି। ରଥଖଳାରେ ଭୂଇଁଚଉତା କାର୍ଯ୍ୟଚାଲିଛି। ଚଉଦ ନାହାକା ପାଇଁ ପ୍ରସ୍ତୁତ କାଠର ଚାରିକୋଣ ମରାଯାଉଛି। ମହାରଣାଙ୍କ ଦ୍ବାରା ଦୁଆରଘଡା ନିର୍ମାଣ ଆରମ୍ଭ ହୋଇଛି। ପ୍ରତିରଥରେ ଚାରୋଟି ଲେଖାଏ ଦୁଆରଘଡା ଲଗାଯିବ। ଏହାଛଡା ଚାରିନାହାକାକୁ ବାନ୍ଧି ରଖିବା ପାଇଁ ଢମକ ଲଗାଯିବ। ଓଝା ସେବକଙ୍କ ଦ୍ବାରା ପ୍ରସ୍ତୁତ ଗୟଳକଣ୍ଟା ପିଟା ଆରମ୍ଭ ହୋଇଛି। କୋଣଗୁଜରେ ନୃସିଂହମୂର୍ତ୍ତି ଅଙ୍କନ ଶେଷହେବା ପରେ ରୂପକାର ସେବକ ନାଟଗୋଡରେ ରାହୁମୂର୍ତ୍ତି ଖୋଦେଇ କରୁଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଖେଇ ଆସୁଥିବାରୁ ସୋମବାର ରଥନିର୍ମାଣ ସେବକଙ୍କ ଦୁଇଥର ଥର୍ମାଲ ସ୍କ୍ରିନିଂ କରାଯାଇଛି। ଏହାଛଡା ପାଣିଆ ଆପଟ, ଟାହିଆ, ତଢଉକରଣ, ଦତ୍ତମହାପାତ୍ର, ସୁଦ୍ଧସୁଆର, ମୁଦଲି, ଖୁଣ୍ଟିଆ, ପୁରୀ ଘଣ୍ଟୁଆ, କୋଠସୁଅଁାସିଆ, ଘଟୁଆରୀ, ଆଉକିଛି ଦଇତାପତି, ପତ୍ରୀବଡୁ, ଦେଉଳକରଣଙ୍କ ସମେତ ୧୩୬ ସେବକଙ୍କ ସ୍ବାବ୍‌ ନମୁନା ସୋମବାର ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

Comments are closed.