ରଥଖଳା ଖବର : ଚକରେ ଦଣ୍ଡା ପଡ଼ିଲା

ପୁରୀ : ନିର୍ମାଣାଧିନ ରଥଚକରେ ରବିବାର ଦଣ୍ଡା ପକାଯାଇଛି । ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୧ଟି ଲେଖାଏ ଦଣ୍ଡା ପକାଯାଇଛି। ଦେବୀ ସୁଭଦ୍ରାଙ୍କ ରଥଚକ ଉପରେ ୯ଟି ଦଣ୍ଡା ପଡିଥିବା ଜଣାପଡିଛି। ଏହାକୁ ଚକଦଣ୍ଡା ଗୋଳେଇ ବୋଲି କୁହାଯାଏ। ସେହିପରି ଓଝା (କମାର) ସେବକ ଦଣ୍ଡାକଣ୍ଟା ଅନୁକୂଳ କରିଛନ୍ତି। ସେମାନଙ୍କ ଦ୍ବାରା ପ୍ରସ୍ତୁତ କଣ୍ଟା ଗୁଡିକୁ ଦଣ୍ଡାରେ ବାଡିଆ ଯାଉଛି। କଟକ ଖପୁରିଆ କରତକଳରୁ ୧୪ନାହାକା ନିମନ୍ତେ ୪୨ଖଣ୍ଡକାଠ ଆସି ପହଞ୍ଚିଛି। ସୋମବାରଠାରୁ ମହାରଣା ସେବକ ସେଥିରେ ସାଲ ଏବଂ ଗୁଜ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ଭୂଇଁଚଉତା କାଠରେ ବିନ୍ଧ କରାଯାଉଛି। ନାଟଗୋଡଗୁଡିକରେ ରୂପକାର ସେବକ ରାହୁମୂର୍ତ୍ତି ଖୋଦେଇ କରୁଛନ୍ତି। ରଥଖଳାରେ ଗୟଳ ନିର୍ମାଣ କାର୍ଯ୍ୟ ଚାଲିଛି। କରତି ସେବକ ସେସବୁ କାଠ କାଟି ମହାରଣାଙ୍କୁ ଯୋଗାଇଛନ୍ତି। ମହାରଣାଙ୍କ ଦ୍ବାରା ଚଉପଟ କରାଯାଉଛି। ରବିବାର ରଥ ନିର୍ମାଣ ସେବକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି। ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୭୧ ସୁଆର ମହାସୁଆର ସେବକଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି।

Comments are closed.