ବାଙ୍କୀରେ ମା’ଚର୍ଚ୍ଚିକା

0

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ବାଙ୍କୀର ଚର୍ଚ୍ଚିକା ପୀଠ ଅନ୍ୟତମ। ଏହା ପବିତ୍ର ମହାନଦୀ କୂଳ ଋଚିକ ପାହାଡ଼ ଉପରେ ଅବସ୍ଥିତ ଏକ ମହାନ୍‍ ତନ୍ତ୍ରପୀଠ । ଦେବୀ ଚର୍ଚ୍ଚିକା ଏହାର ଅଧିଷ୍ଠାତ୍ରୀ ଦେବୀ। ୬ଷ୍ଠ /୭ମ ଶତାବ୍ଦୀରେ ଭୌମକର ରାଜାଙ୍କ ରାଜତ୍ୱ କାଳରେ ଅଷ୍ଟଭୁଜା ଦେବୀ ଚର୍ଚ୍ଚିକାଙ୍କ ଆରାଧନା ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ଦେବୀ ଅଷ୍ଟଭୁଜରେ ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ ଧାରଣ କରିଥିବା ବେଳେ ବାମହସ୍ତ କନିଷ୍ଠାଙ୍ଗୁଳିକୁ ଦାନ୍ତରେ କାମୁଡ଼ି ଧରିଛନ୍ତି। ମା’ଙ୍କ ବକ୍ଷରେ ନରମୁଣ୍ଡମାଳା ଶୋଭା ପାଉଥିବା ବେଳେ ମା’ ଏକ ଶବ ଉପରେ ଆସୀନ। ଦେବୀ ଚାମଣ୍ଡା ହୋଇଥିବାରୁ ଏହି ପୀଠକୁ ଚାମୁଣ୍ଡା ମଣ୍ଡଳ ଭାବରେ ଅଭିହିତ କରାଯାଇଛି। ଚାମୁଣ୍ଡାମାନେ ପରମ ବୈଷ୍ଣବୀ ନୁହନ୍ତି। ସେଥିପାଇଁ ସେମାନଙ୍କ ନିକଟରେ ଆମିଷ ଭୋଗର ବ୍ୟବସ୍ଥା ରହିଛି। ଦେବୀ ଚର୍ଚ୍ଚିକାଙ୍କ ପାଖରେ କାର୍ତ୍ତିକ, ମାଘ ଓ ବୈଶାଖ ମାସରେ ଆମିଷ ଭୋଗ କରାଯାଏ ନାହିଁ । ଅନ୍ୟ ସବୁ ମାସରେ କେବଳ ଗୁରୁବାରକୁ ଛାଡ଼ି ଆମିଷ ଭୋଗ ହେଉଥିବା ବେଳେ ଶାରଦୀୟ ଷୋଳ ପୂଜାରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହୋଇଥାଏ।
ଦେବୀଙ୍କ ବାହନ ସିଂହ । ଜୀବ ମାତ୍ରେ ଶକ୍ତିମୟୀଙ୍କର ତଦ୍ଗତ ଭାବନା-ହୃଦୟରେ ବହନ କଲେ ବରଜୀବ ସିଂହ ସଦୃଶ ହେବ। ସିଂହ ହିଁ ଶକ୍ତିର ପ୍ରତୀକ। ତେଣୁ ଭକ୍ତ ‘ଯା’ ଶବ୍ଦ ଯୁକ୍ତ କରି ମହାଲକ୍ଷ୍ମୀ, ମହାକାଳୀ ଓ ମହା ସରସ୍ୱତୀରୂପା ଜଗଜ୍ଜନନୀ ଶକ୍ତି ସିଂହବାହିନୀଙ୍କୁ ପ୍ରାର୍ଥନା କରେ ।
ବାଙ୍କୀ ଚର୍ଚ୍ଚିକା ପୀଠର ପରିଚୟ ଓ ପ୍ରସିଦ୍ଧି ବହୁ ପୁରାତନ। କେଉଁ ଯୁଗରେ ଏହି ପୀଠର ସୃଷ୍ଟି ହୋଇଥିଲା, କିଏ ଏହାର ପ୍ରତିଷ୍ଠାତା ସେ ବିଷୟରେ କୌଣସି ଐତିହାସିକ ତଥ୍ୟ ମିଳିନାହିଁ । ପୌରାଣିକ ଉପାଖ୍ୟାନ, କିମ୍ବଦନ୍ତୀ ଓ ଜନଶ୍ରୁତିରୁ ଏହି ପୀଠର ଆବିର୍ଭାବ ସମ୍ପର୍କରେ ଯାହା କିଛି ବିବରଣୀ ମିଳିଥାଏ।
ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ପରମାନନ୍ଦ ଆଚାର୍ଯ୍ୟ ଚର୍ଚ୍ଚିକା ଦେବୀଙ୍କ ମୂର୍ତ୍ତି ୯ମ-୧୦ମ ଶତାବ୍ଦୀର କୀର୍ତ୍ତି ବୋଲି ୧୯୫୫ ମସିହା ବାଙ୍କୀ ଅଞ୍ଚଳର ପ୍ରତ୍ନତତ୍ତ୍ୱରେ ଲେଖିଥିଲେ। ପୁରୁଣା କାଳର ଦେବୀ ମନ୍ଦିର ପରିବର୍ତ୍ତିତ ହୋଇ ପୀତାମ୍ବର ଶ୍ରୀଚନ୍ଦନଙ୍କ ଅମଳରେ ମନ୍ଦିରର ପୁନଃ ନିର୍ମାଣ ଓ ଶୂନ୍ୟ ବାହିନୀ ମଣ୍ଡପ ନିର୍ମାଣ ହୋଇଥିଲା।
ସବୁ ଦେବଦେବୀ ପୀଠ ପରି ଚର୍ଚ୍ଚିକା ପୀଠରେ କେତେକ ପାର୍ଶ୍ବ ଦେବତା ରହିଥିବାର ଦେଖାଯାଏ। ଏମାନଙ୍କ ମଧ୍ୟରେ ପଞ୍ଚ ମହାଦେବ, ଶ୍ରୀଗଣେଶ, ଶ୍ରୀମଙ୍ଗଳା, ଶ୍ରୀଜଗନ୍ନାଥ, ଶ୍ରୀରାମ, ସନ୍ତୋଷୀ ମା’, ତ୍ରିନାଥ ଦେବଙ୍କ ମନ୍ଦିରମାନ ରହିଛି। ଦେବୀଙ୍କ ସମ୍ମୁଖ ଭାଗରେ ଏବଂ ତା’ଠାରୁ ସାମାନ୍ୟ ନିମ୍ନରେ ତଳଉପର ହୋଇ କାଠ ତିଆରି ଦୁଇଟି ମଣ୍ଡପ ରହିଛି। ପ୍ରଥମ ମଣ୍ଡପଟି ବାରଗୋଟି ସ୍ତମ୍ଭ ଉପରେ ସ୍ଥାପନ କରାଯାଇଛି। ଏହାକୁ ଶୂନ୍ୟବାହିନୀ ମଣ୍ଡପ ବୋଲି କୁହାଯାଏ। କାଠରେ ଏପରି ସୂକ୍ଷ୍ମ କାରୁକାର୍ଯ୍ୟ ମଣ୍ଡିତ ମଣ୍ଡପ ବୋଧହୁଏ ଓଡ଼ିଶାରେ ବିରଳ।
ମା’ ଚର୍ଚ୍ଚିକାଙ୍କ ନିତିକାନ୍ତି ପୂଜା ସେବା ବ୍ରାହ୍ମଣମାନେ କରିଥା’ନ୍ତି। ମାଳୀ ସେବାୟତମାନେ ଅନ୍ୟାନ୍ୟ ସେବାନିତି କରିଥା’ନ୍ତି। ଦେବୀ ଚର୍ଚ୍ଚିକାଙ୍କ ନିତିଦିନିଆ ସେବା ମଧ୍ୟରେ ଭୋରରୁ ମନ୍ଦିର ଖୋଲାଯାଇ ମା’ଙ୍କ ଆଳତି, ମାଜଣା କରାଯାଏ। ମାଜଣା ପରେ ନେତ୍ର ଲାଗି ହୁଏ। ଏହି କାର୍ଯ୍ୟ ଘୋରା ଚନ୍ଦନ ଉପରେ ଲାଗିହୁଏ। କାରଣ କଳା ମୁଗୁନି ପଥର ଦେହରେ ପର୍ଶୁରାମ ଶର ମୂନରେ ଆଙ୍କିଥିବା ମା’ଙ୍କ ମୂର୍ତ୍ତିରେ ଚନ୍ଦନ ଲେପି ଭୁଜ, ପୟର, ନେତ୍ର, ଚିତା ଇତ୍ୟାଦି ଲଗାଇ ବେଶ କରାଯାଏ। ବେଶ ପରେ ବ୍ରାହ୍ମଣ ପୂଜକଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯାଇ ମା’ଙ୍କ ବଲ୍ଲଭ ଭୋଗ କରାଯାଏ। ଦୈନିକ ଏଠାରେ ଚାରିରିଥର ଧୂପ ହୋଇଥାଏ। ଦ୍ୱିପ୍ରହର ଧୂପ ପରେ ମନ୍ଦିର ବନ୍ଦ ରହେ, ପୁନର୍ବାର ସନ୍ଧ୍ୟା ପୂର୍ବରୁ ଖୋଲେ । ସନ୍ଧ୍ୟା ଧୂପ ଓ ରାତ୍ରି ଧୂପ ପରେ ମା’ଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଏ ।
ଚର୍ଚ୍ଚିକା ପୀଠରେ ପଣା ବା ଝାମୁଯାତ୍ରା, ଦଶହରା, କୁମାର ପୂର୍ଣ୍ଣମୀ, ବାସନ୍ତୀ ପୂଜା, ଦୋଳଯାତ୍ରା, ଚନ୍ଦନଯାତ୍ରା ଆଦି ମହାସମାରୋହରେ ପାଳିତ ହୁଏ । ଦିନ ଥିଲା ଏଠାରେ ପଣାଯାତ୍ରା ଦେଖିବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସୁଥିଲେ। ଏହି ଯାତ୍ରା ମାସାଧିକାଳ ଚାଲୁଥିଲା। କାଳକ୍ରମେ ସେ ସବୁର ପରିବର୍ତ୍ତନ ହୋଇଯାଇଛି। ଆଶ୍ୱିନ ମାସରେ ଦଶହରା ଉପଲକ୍ଷେ ଦେବୀ ଚର୍ଚ୍ଚିକାଙ୍କ ପାଖରେ କୃଷ୍ଣପକ୍ଷ ମୂଳାଷ୍ଟମୀ ଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହୁଏ। ଅଷ୍ଟମୀ ତିଥିରେ ଜଗତଜନନୀ ମା’ଚର୍ଚ୍ଚିକା ଭକ୍ତଙ୍କୁ ମହିଷମର୍ଦିନୀ ବେଶରେ ଦର୍ଶନ ଦେଇଥା’ନ୍ତି। ସେଦିନ ଦେବୀଙ୍କୁ ୧୦୮ ମୁଣ୍ଡମାଳ (ରୌପ୍ୟ ନିର୍ମିତ) ଧାରଣ କରାଯାଏ। ମହାପ୍ରସାଦ ଅର୍ପଣ ଓ ନେତବନ୍ଧା ଉତ୍ସବ ଅନୁଷ୍ଠିତ ହୁଏ।
ସୌଜନ୍ୟ ସତ୍ୟବାଦୀ ଡ଼େସ୍କ

Comments
Loading...