ସ୍ବର୍ଣ୍ଣକୁ ବଦଳିବ ଚାନୁଙ୍କ ରୌପ୍ୟ ?

ନୂଆଦିଲ୍ଲୀ : ସୋମବାର ସାମାଜିକ ଗଣମାଧ୍ୟମରେ ଏବଂ ଗଣମାଧ୍ୟମରେ ଏକ ଚର୍ଚ୍ଚା ଜୋର୍‌ସୋର୍‌ରେ ଚାଲିଛି। ଏଥିରେ କୁହାଯାଇଛି ଯେ ମହିଳା ୪୯ କେଜି ଭାରୋତ୍ତୋଳନରେ ସ୍ବର୍ଣ୍ଣପଦକ ଜିତିଥିବା ଚୀନ୍‌ର ହାଓ ଝିହୁଇଙ୍କର ଡୋପ୍‌ ପରୀକ୍ଷା କରାଯିବ। ତେଣୁ ତାଙ୍କୁ ସ୍ବଦେଶ ନ ଯାଇ ଟୋକିଓରେ ରହିବାକୁ କୁହାଯାଇଛି। ଯଦି ଝୁହୁଇ ଡୋପ୍‌ ପରୀକ୍ଷାରେ ବିଫଳ ହୁଅନ୍ତି; ତେବେ ଏହି ବିଭାଗରେ ରୌପ୍ୟପଦକ ଜିତିଥିବା ମୀରାବାଈ ଚାନୁ ସ୍ବର୍ଣ୍ଣପଦକ ହାସଲ କରିବେ। ତେବେ ଏହି ଖବର କେଉଁଠାରୁ ଆସିଲା; ତାହା କେହି କହି ପାରୁନାହାନ୍ତି। ବିଶ୍ବ ଡୋପିଙ୍ଗ୍‌ ନିରୋଧ ସଂସ୍ଥା (ୱାଡା) ଏପରି ଖବରକୁ ଖଣ୍ଡନ କରିଛି। ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) ପାଖରେ ମଧ୍ୟ ଏହାର ଖବର ନାହିଁ। ଜଣେ ଆମେରିକାର ସାମ୍ବାଦିକ ଏହା ଟ୍ବିଟ୍‌ କରିଥିବାରୁ ଭାରତୀୟଙ୍କ ମଧ୍ୟରେ ଏହା ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ଯଦି ଚୀନ୍‌ ଭାରୋତ୍ତୋଳିକା ଡୋପ୍‌ ପରୀକ୍ଷାରେ ବିଫଳ ହୁଅନ୍ତି; ତେବେ ଭାରତ ଐତିହାସିକ ସ୍ବର୍ଣ୍ଣପଦକ ହାସଲ କରିବ।

Comments are closed.