ପିସିସି ସଭାପତି ପରିବର୍ତ୍ତନ ମେଳି ବାନ୍ଧିଲେ ଅସନ୍ତୁଷ୍ଟ, ଦିଲ୍ଲୀ ଯିବାକୁ ସଜବାଜ

ଭୁବନେଶ୍ୱର: କଂଗ୍ରେସରେ କିଛି ଦିନ ନିରବତା ପରେ ପୁଣି ଦେଖା ଦେଇଛି ଅସନ୍ତୋଷର ଝଡ। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ଦଳର ତୁଙ୍ଗ ନେତା ଓ ନେତ୍ରୀ ଦାବି ଉଠାଇଥିଲେ। ଦିଲ୍ଲୀ ଯାଇ ହାଇ କମାଣ୍ଡଙ୍କୁ ଅବଗତ କରାଇବା ସହ କଂଗ୍ରେସକୁ ଓଡିଶାରେ ସୁଦୃଢ କରାଇବାକୁ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପରିବର୍ତ୍ତର୍ନ ଆବଶ୍ୟକ ବୋଲି ଦାବି ଉଠାଇଥିଲେ। ନିରଞ୍ଜନ ନିଜ ଆଡୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଥିଲେ। ସେତେବେଳର କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ନିରଞ୍ଜନଙ୍କୁ ସୁରକ୍ଷା ଦେଇଥିଲେ। ଏଆଇସିସି ଅଧ୍ୟକ୍ଷା ଓଡିଶା ପିସିସି ଭଙ୍ଗ କରି ନିରଞ୍ଜନଙ୍କୁ ପଟ୍ଟନାୟକଙ୍କୁ ସଭାପତି, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝିଙ୍କୁ କାର୍ୟ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇବା ପାଇଁ ନ୍ୟସ୍ତ କରାଯାଇଥିଲା। କରୋନା ମହାମାରୀ ଯୋଗୁଁ କଂଗ୍ରେସରେ ପିସିସି ପରିବର୍ତ୍ତନ ଅଭିଯାନ ଥମିଥିଲା।

ଏକ ବର୍ଷ ପରେ ଶତାଧିକ ଅସନ୍ତୁଷ୍ଟମାନେ ଏକାଠି ହୋଇ କଂଗ୍ରେସରେ ନିରଞ୍ଜନ ହଟାଅ ଅଭିଯାନକୁ ପୁନର୍ବାର ଉଜ୍ଜୀବିତ କରିଛନ୍ତି। ଦଳର ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ , ପୂର୍ବତନ ମନ୍ତ୍ରୀ ଓ ଜିଲା କମିଟି ସଭାପତିମାନେ ଏକ ହୋଟେଲରେ ମେଳି ହୋଇ ପିସିସି ସଭାପତି ପରିବର୍ତ୍ତନ ପାଇଁ ସ୍ୱର ଶାଣିତ କରିଛନ୍ତି। ରାଜ୍ୟ ପ୍ରଭାରୀ ଡ, ଏ . ଚେଲା କୁମାରଙ୍କୁ ରାଜ୍ୟର ସାଂଗଠନିକ ସ୍ଥିତି ଓ ଆଗାମୀ ରଣନୀତିକୁ ନେଇ ଅସନ୍ତୁଷ୍ଟ ନେତାମାନେ ଭେଟିବାକୁ ଯୋଗାଯୋଗ କରିଛନ୍ତି। ପୂର୍ବତନ ବିଧାୟକ ଦେବ ଶର୍ମା ଚେଲା କୁମାରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆଗାମୀ ସପ୍ତାହରେ ଦିଲ୍ଲୀ ଯାଇ ପିସିସି ପରିବର୍ତ୍ତନ ନେଇ ଚେଲା କୁମାର, ସୋନିଆ ଗାନ୍ଧୀ ଓ ରାହୁଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ଅସନ୍ତୁଷ୍ଟ ନେତାମାନଙ୍କ ମୁଖ୍ୟ ଅଭିଯୋଗ ହେଲା ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଶାସକ ବିଜେଡି ବିରୋଧରେ କଂଗ୍ରେସର ରଣନୀତି ଫେଲ ମାରିଛି ବୋଲି ଏହି ନେତାମାନେ ମେଳି ବୈଠକରେ ଅଭିଯୋଗ କରିଛନ୍ତି। ବିଜେଡି ଓ ବିଜେପିର ଜନ ବିରୋଧୀ ପ୍ରସଙ୍ଗରେ କଂଗ୍ରେସ ଯେଭଳି ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରିବା କଥା ତାହା ହେଉନାହିଁ।

ରାଜ୍ୟରେ କଂଗ୍ରେସର ଆଭିମୁଖ୍ୟକୁ ବିଚାରକରି ବିଜେଡିର ବି ଟିମ୍‍ କଂଗ୍ରେସ ବୋଲି ବିଜେପି ଦୋଷାରୋପ କରୁଛି। ଅନ୍ୟ ପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା , ନାରୀ ନିର୍ୟାତନା , ହତ୍ୟା ଲୁଣ୍ଠନ ଚରମ ସୀମାରେ ପହଞ୍ଚି ଥିବା ବେଳେ କଂଗ୍ରେସ ଏହି ପ୍ରସଙ୍ଗ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଦୁର୍ବଳ ନେତୃତ୍ୱ, ଦିଶାହୀନ ସଂଗଠନ ଦଳକୁ ଦୁର୍ବଳ କରିବାକୁ ବସିଛି। ୨୦୨୦ରେ ଦୁଇଟି ଉପ ନିର୍ବାଚନରେ କଂଗ୍ରେସ ପରାଜୟ ବରଣ କରିଛି। ଆଗକୁ ପିପିଲି ଉପ ନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ରହିଛି। ବେଳ ଥାଉ ଥାଉ ନେତୃତ୍ୱ ପରିବର୍ତ୍ତନ ନ ହେଲେ ବିଜେପି ବିଜେଡି ସହ ସମକକ୍ଷ ଭାବେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତାରେ ସମର୍ଥ ହେବନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯେକୈାଣସିମତେ ନିରଞ୍ଜନକୁ ହଟାଇବା ପାଇଁ ଅସନ୍ତୁଷ୍ଟ ମାନେ ଅଣ୍ଟା ଭିଡିଛନ୍ତି। ଅସନ୍ତୁଷ୍ଟଙ୍କ ବୈଠକରେ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, କୁମାର ଚିରଞ୍ଜିବ,ମଧୁସୂଦନ ପାଣିଗ୍ରାହୀ, ସମୀର ରାଉତରାୟ, ସୀତାକାନ୍ତ ମିଶ୍ର,ମୁରଲୀ ଜେନା ଓ ରବି ସେଠୀ ପ୍ରମୁଖ ଯୋଗଦେଇ ପିସିସି ପରିବର୍ତ୍ତନ ନେଇ ଆଲୋଚନା କରିଥିଲେ।

Comments are closed.