ମୁଁ ପିସିସି ସଭାପତି ରେସ୍‌ରେ ନାହିଁ: ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : ବିଗତ କିଛି ଦିନ ହେବ ରାଜ୍ୟ କଂଗ୍ରେସର ମୁଖିଆ ବଦଳିବେ ବୋଲି ଚର୍ଚ୍ଚା ଜାରି ରହିଛି। କେବଳ ପିସିସି ସଭାପତି ବଦଳିବେ ତାହା ନୁହେଁ, ସଭାପତି ପାଇଁ ରେସ୍‌ରେ କେତେକ ନେତା ରେସ୍‌ରେ ଥିବା ନେଇ ମଧ୍ୟ ଆଲୋଚନା ହେଉଛି। କେତେକ ବରିଷ୍ଠ କଂଗ୍ରେସ ନେତା ପିସିସି ସଭାପତି ବଦଳିବାର ଆବଶ୍ୟକତା ସମ୍ପର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମଧ୍ୟ ସୂଚାଇ ଦେଇଥିଲେ । ତେବେ ଏହାରି ମଧ୍ୟରେ ସମ୍ପ୍ରତି ପିସିସି ସଭାପତି ବଦଳିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ । ଏପରି କି ସେ ସଭାପତି ରେସ୍‌ରେ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି ମଧ୍ୟ ରଞ୍ଜୀବ କହିଛନ୍ତି।

ବୁଧବାର ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ, ଗୁଜରାଟରେ ପିସିସି ବଦଳିବା ପରେ ଓଡ଼ିଶାରେ ବଦଳିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ତାଙ୍କ ପାଖରେ ଯାହା ଖବର ଅଛି, ଏବେ ପିସିସି ବଦଳିବାର ସମ୍ଭାବନା ନାହିଁ । ସେହିପରି ସେ ମଧ୍ୟ ପିସିସି ସଭାପତି ଦୌଡ଼ରେ ନାହାନ୍ତି ବୋଲି ରଞ୍ଜୀବ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ପିସିସି ସଭାପତି ବଦଳିବାର କୌଣସି ଖବର ଆସିନି ଏବଂ ଯେଉଁ ନେତାମାନଙ୍କ ନାମ ପିସିସି ସଭାପତି ପାଇଁ ଚର୍ଚ୍ଚା ହେଉଛି ସେମାନେ ମଧ୍ୟ କୌଣସି ଲବି କରିବାର ସୂଚନା ନାହିଁ, କିମ୍ବା କୌଣସି ନେତା ବର୍ତ୍ତମାନ ଯାଏଁ ଦିଲ୍ଲୀ ଯାଇ ଡେରା ପକାଇ ନାହାନ୍ତି। ଏଣୁ ଯାହା ବର୍ତ୍ତମାନ ଚର୍ଚ୍ଚା ହେଉଛି ସେସବୁ କପୋଳକଳ୍ପିତ।

ସୂଚନାଯୋଗ୍ୟ ଯେ, ନିକଟରେ ପିସିସି ସଭାପତି ବଦଳିବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଥିଲେ । ସେ କହିଥିଲେ ଯେ, ପିସିସି ସଭାପତି ଦୌଡ଼ରେ ଥିବା ୧୩ ଜଣଙ୍କ ମଧ୍ୟରୁ ଶରତ ପଟ୍ଟନାୟକ, ଶରତ ରାଉତ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଦାବିଦାର ଅଛନ୍ତି । ଏହାଛଡ଼ା ରଞ୍ଜୀବ ବିଶ୍ୱାଳ ଓ ଜୟଦେବ ଜେନା ମଧ୍ୟ ରେସରେ ଅଛନ୍ତି ବୋଲି ସେ କହିଥିଲେ । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବ୍ୟାପୀ ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି । ଯୁବଗୋଷ୍ଠୀଙ୍କୁ ଦାୟିତ୍ୱ ଦେବା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ସୁର ରାଉତରାୟ କହିଥିଲେ।

Comments are closed.