ଜୁଲାଇ ୧୫ରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ

ବେଙ୍ଗାଲୁରୁ : ଚନ୍ଦ୍ରଯାନ -୨ ଉତକ୍ଷେପଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଆସନ୍ତା ମାସ ୧୫ ତାରିଖ ଦିନ ୨ଟା ୫୧ ମିନିଟ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ର ଉତକ୍ଷେପଣ କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଅଧ୍ୟକ୍ଷ ଡ. କେ ସିବନ କହିଛନ୍ତି। ଚନ୍ଦ୍ରଯାନ-୨ ଡିସେମ୍ବର ୬ କିମ୍ବା ୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।
ଚନ୍ଦ୍ରଯାନ ଅଭିଯାନର ସଫଳତା ସହ ଭାରତ ଚନ୍ଦ୍ର ପୃଷ୍ଠରେ ଯାନ ଅବତରଣ କରିବାର ଚତୁର୍ଥ ରାଷ୍ଟ୍ର ହେବ। ଏହା ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ନିଜ ଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇସାରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଯାନ ଅବତରଣ କରାଇ ନାହାନ୍ତି। ଇସ୍ରୋ ଅନୁସାରେ ଜିଏସ୍‍ଏଲଭି ଏମକେ-୩ ରକେଟରେ ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରାଯିବ। ୩୮୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ସ୍ପେସକ୍ରାଫ୍ଟରେ ୩ଟି ମଡ୍ୟୁଲ ଅର୍ବିଟର, ଲ୍ୟାଣ୍ଡର (ବିକ୍ରମ) ଏବଂ ରୋଭର (ପ୍ରଜ୍ଞାନ) ରହିବେ। ଅର୍ବିଟରରେ ୮, ଲ୍ୟାଣ୍ଡରରେ ୩ ଏବଂ ରୋଭରରେ ୨ଟି ଅର୍ଥାତ ମୋଟ ୧୩ଟି ପେଲୋଡ ରହିବ। ଚନ୍ଦ୍ରଯାନ ଅଭିଯାନ ପାଇଁ ୬୦୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କେବଳ ଜିଏସ୍‍ଏଲଭି ରକେଟର ମୂଲ୍ୟ ୩୭୫ କୋଟି ଟଙ୍କା ରହିଛି।

Comments are closed.