‘ଗଛ ପ୍ରେମୀ’ ପବିତ୍ର

ଚନ୍ଦ୍ରଶେଖରପୁର: ରାଜଧାନୀରେ ସୌନ୍ଦର୍ୟ୍ୟକରଣ ଆଳରେ ପୁରୁଣା ଗଛକୁ କାଟି ବିେଦଶୀ ଗଛ ଲଗାଯାଉଛି। ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କମିବା ସହିତ ପ୍ରଦୂଷିତ ହେବାରେ ଲାଗିଛି। ଏମିତି ବି ଲୋକ ଅଛନ୍ତି ଯିଏ ଗଛ ପାଇଁ ସମର୍ପିତ ହୋଇଛନ୍ତି। ଚନ୍ଦ୍ରଶେଖରପୁରରେ ରହଥିବା ପୂର୍ବତନ ସେନା କର୍ମଚାରୀ ପବିତ୍ର କୁମାର ପଣ୍ଡା ଏବେ ‘ଗଛପ୍ରେମୀ’ ପବିତ୍ର ପାଲଟିଛନ୍ତି। ଗଛଟିଏ ଲଗାଇବା, ଝାଉଁଳି ପଡ଼ିଥିବା ଗଛରେ ଦିନକୁ ଦୁଇବେଳା ପାଣି ଦେବା ତାଙ୍କର ନିତିଦିନିଆ କାମରେ ପରିଣତ ହୋଇଛି। ଦେଶ ମାତୃକାର ସେବା ପରେ ଏବେ ଗଛ ସେବାରେ ସେ ନିଜକୁ ନିୟୋଜିତ କରିଦେଇଛନ୍ତି। ପରିବେଶ ସୁରକ୍ଷା ଦିଗରେ ନିଜକୁ ସମର୍ପି ପ୍ରତିଦିନ ଚାରାରୋପଣ ଓ ଗଛଟିଏ ଲଗାଇ ତା’ର ଯତ୍ନନେବା ପବିତ୍ରଙ୍କ ନିଶା ପାଲଟିଯାଇଛି। ଶ୍ରୀ ପଣ୍ଡା ଚାକିରିରୁ ଅବସର ପରେ ପତ୍ନୀଙ୍କ ନାଁରେ ଏକ ଓମଫେଡ ଷ୍ଟଲ୍‌ ଚଳାଉଥିଲେ।

 

ଗଛ ପ୍ରେମ ତାଙ୍କୁ ଏମିତି ଘାରିଥିଲା ​​ଯେ ଷ୍ଟଲ୍‌ଟି ଜଣେ ସମ୍ପର୍କୀୟଙ୍କ ଦାୟିତ୍ୱରେ ଛାଡ଼ିଦେଇ ପରିବେଶ ସୁରକ୍ଷା ନିଶାରେ ନିଜର ସମୟ ଉତ୍ସର୍ଗ କରୁଛନ୍ତି। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ପଟିଆ ଆଦି ଅଞ୍ଚଳରେ ଲଗାଇଥିବା ଗଛ େକମିତି ବଞ୍ଚିବ ସେଥିପ୍ରତି ସେ ଯତ୍ନଶୀଳ। ବର୍ତ୍ତମାନ ଭୂତଳ ଜଳ ସଙ୍କଟ ଦୃଷ୍ଟିରୁ ରାସ୍ତା କଡ଼ ଓ ଡିଭାଇଡରରେ ଗଛଗୁଡ଼ିକ ଝାଉଁଳି ପଡ଼ିବା ଦେଖି ପବିତ୍ରଙ୍କ ମନ ଦୁଃଖରେ ଭାଙ୍ଗିପଡ଼େ। ଗଛରେ ଡାଳ, ପତ୍ର, ଫୁଲ ହସି ଉଠିଲେ ନିଜର ସନ୍ତାନ ହସିଲା ଭଳି ସେ ଅନୁଭବ କରନ୍ତି ବୋଲି କହନ୍ତି। ସବୁଜିମା ଫେରାଇ ଆଣିବାରେ ପବିତ୍ରଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ସ୍ଥାନୀୟ ଅଞ୍ଚଳର ବାସିନ୍ଦା କହିଛନ୍ତି।

Comments are closed.