ଉପେକ୍ଷିତ ଚନ୍ଦ୍ରଭାଗାର ଜୟଦେବ ବାଟିକା

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ନିକଟରେ ଥିବା ଜୟଦେବ ବାଟିକା ଏବେ ଅବହେଳିତ ଅବସ୍ଥାରେ ଥିବାବେଳେ ପର୍ୟ୍ୟଟକମାନେ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳୁଛି। ପର୍ୟ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବାବେଳେ ଜନଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଗତ କିଛି ବର୍ଷ ପୂର୍ବେ ଚନ୍ଦ୍ରଭାଗା ନିକଟରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପର୍ୟ୍ୟଟନ ବିଭାଗ ପକ୍ଷରୁ ଜୟଦେବଙ୍କ ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କୋଣାର୍କ ପ୍ରଥମେ ଏକ ବୌଦ୍ଧ ପୀଠ ଓ ପରବର୍ତ୍ତୀକାଳରେ ଜୟଦେବଙ୍କ ପ୍ରଭାବରୁ ସେଠାରେ ବୈଷ୍ଣବ ଧର୍ମର ପ୍ରଚାର ହୋଇଥିଲା। ଏହାକୁ ଆଖି ଆଗରେ ରଖାଯାଇ ଚନ୍ଦ୍ରଭାଗାରେ ଦୁଇ ମହାନ୍‌ ବ୍ୟକ୍ତିଙ୍କ ଫାଇବର ନିର୍ମିତ ବିଗ୍ରହ ରଖାଯିବ ବୋଲି ସରକାର ଚିନ୍ତା କରିଥିଲେ। ପର୍ୟ୍ୟଟନ ବିଭାଗ ପକ୍ଷରୁ ଏହି ନିର୍ଦେଶକୁ ଉପେକ୍ଷା କରାଯାଇ କେବଳ ଜୟଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଥିବାବେଳେ ବୁଦ୍ଧଙ୍କ ମୂର୍ତ୍ତି ଏଯାବତ୍‍ ସ୍ଥାପନ କରାଯାଇପାରି ନାହିଁ। ଏହି ଜୟଦେବ ବାଟିକା ଖୋଲିବା ପରେ ମୂର୍ତ୍ତି ସ୍ଥାପନାକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ପରେ ପର୍ୟ୍ୟଟନ ବିଭାଗର ଅଧିକାରୀ ଏହାକୁ ଚାପିଦେବାକୁ ସକ୍ଷମ ହୋଇଥିଲେ।

ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପର୍ୟ୍ୟଟକଙ୍କ ଲାଗି ବାଟିକା ଖୋଲା ଯାଇଥିଲା। ମାତ୍ର ଅଳ୍ପ କିଛିଦିନ ପରେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଥିବାବେଳେ ‘ଫଣି’ ମହାବାତ୍ୟାରେ ଏହି ବାଟିକା ଧ୍ବସ୍ତବିଧ୍ୱସ୍ତ ହୋଇଯାଇଥିଲା। ଦେଶ ବିଦେଶର ପର୍ୟ୍ୟଟକ ଜୟଦେବ ବାଟିକା ଦେଖିବା ଲାଗି ଆସୁଥିବା ବେଳେ ଚନ୍ଦ୍ରଭାଗା ରାସ୍ତାକଡ଼ରେ ଥିବା ଏହି ବାଟିକା ବନ୍ଦ ଥିବାରୁ ନିରାଶରେ ଫେରୁଛନ୍ତି। ଜୟଦେବ ଜୟନ୍ତୀ ପୂର୍ବରୁ ଏକ ସଂକୀର୍ତ୍ତନ ମଣ୍ଡଳୀ ଭୁବନେଶ୍ୱରରୁ ବାହାରି ପ୍ରାଚୀ ତୀର୍ଥ ଦେଇ ଚନ୍ଦ୍ରଭାଗାରେ ପହଞ୍ଚିବା ପରେ ସିଦ୍ଧ ପୁରୁଷ ଜୟଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଦିନ କେଇଟା ପରେ ଜୟଦେବଙ୍କ ଜୟନ୍ତୀ ଥିବାବେଳେ ଏବେ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଚନ୍ଦ୍ରଭାଗା ଉଡେନ୍‍ ରେସ୍ତୋରାଁ ସମ୍ମୁଖରେ ପର୍ୟ୍ୟଟନ ବିଭାଗ ପକ୍ଷରୁ ଜୟଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲେ ମଧ୍ୟ ସ୍ଥାନୀୟ ଏନ୍ଏ୍ସି କର୍ତ୍ତୃପକ୍ଷ ଓ ପର୍ୟ୍ୟଟନ ବିଭାଗର ଅବହେଳା ଯୋଗୁଁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଜୟଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ସ୍ଥାନରେ ତାଲା ଝୁଲୁଥିବା ଯୋଗୁଁ ସ୍ୱେଚ୍ଛାସେବୀ ବିଭିନ୍ନ ସମୟରେ ଫେରୁଥିବା ଅଭିଯୋଗ ହେଉଛି। ପୁରୀ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହୋଇଛି।

Comments are closed.