ଚଣ୍ଡିଗଡ଼ ବିଦ୍ୟାଳୟରେ ହେବ ଜୈବିକ ଚାଷ

0

ଆଗାମୀ ପିଢ଼ି ସବୁଜ ପନିପରିବା ସହ ଜୈବିକ (ଅର୍ଗାନିକ୍) ପନିପରିବାର ମହତ୍ତ୍ବ ବୁଝୁ, ସେଇ ଚେଷ୍ଟାରେ ଲାଗିପଡ଼ିଛନ୍ତି ଚଣ୍ଡିଗଡ଼ ପ୍ରଶାସନ। ସେଠାକାର ଜିଲା ଶିକ୍ଷା ଅଧିକାରୀ ଅନୁଜିତ୍ କୌର ହିଁ ଗଣମାଧ୍ୟମକୁ ଏ ସୂଚନା ଦେଇଛନ୍ତି। ସେଠାର ପ୍ରତ୍ୟେକ ବିଦ୍ୟାଳୟରେ ୨ ବର୍ଷ ପୂର୍ବରୁ ଚାଷବାସ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯାଉଥିବାବେଳେ ଏବେ ଏକ ନୂତନ ପଦକ୍ଷେପ ନିଆଯାଇଛି। ଜିଲା ଅଧିକାରୀଙ୍କ କହିବାନୁସାରେ, ଏବର ପିଲା ଆଗାମୀ ଦିନରେ ଦେଶବିଦେଶରେ କେଉଁଠାରେ ମଧ୍ୟ କର୍ମନିଯୁକ୍ତି ପାଇପାରନ୍ତି। ତେବେ ସ୍ବାସ୍ଥ୍ୟ ପାର୍ଇ ହିତକର ଖାଦ୍ୟ ଖାଇବା ନିମନ୍ତେ ସେମାନେ ଭବିଷ୍ୟତରେ ସଚେତନ ହେବା ଦରକାର, ଏହା ହିଁ ଏହି ପ୍ରୋଜେକ୍ଟର ମୂଳ ଲକ୍ଷ୍ୟ। ସେଥିପାଇଁ ଏବେ ଅର୍ଗାନିକ୍ ଚାଷ ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଥିନିମନ୍ତେ ଚଣ୍ଡିଗଡ଼ର ୬୦ଟି ବିଦ୍ୟାଳୟରେ ସେମିନାର ହୋଇସାରିଛି। ଦୁଇଟି ବିଦ୍ୟାଳୟରେ ଅର୍ଗାନିକ୍ ଚାଷ ପ୍ରୋଜେକ୍ଟ ଏହା ମଧ୍ୟରେ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଥିବାବେଳେ ଏଥିରୁ ଉତ୍ପନ୍ନ ହେଉଥିବା ପରିବାକୁ ‘ମିଡ୍-ଡେ ମିଲ୍’ରେ ବ୍ୟବହାର କରାଯାଉଥିବାର ପ୍ରକାଶ। ଅନୁଜିତ କୌର୍ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଭିଭାବକମାନେ ଏହି ଚାଷବାସ ପାଠ୍ୟକ୍ରମକୁ ଆଦୌ ରାଜି ହୋଇନଥିଲେ। କାରଣ ପିଲାମାନେ କୃଷକ ଭଳି କାମ କରନ୍ତୁ ବୋଲି ସେମାନେ ଆଦୌ ଚାହୁଁନଥିଲେ। ପରେ ଏହି ଅର୍ଗାନିକ୍ ଚାଷର ଆବଶ୍ୟକତା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବା ପରେ ସବୁକିଛି ଠିକ୍ ହୋଇଥିଲା।

Leave A Reply