ଚାନ୍ଦିପୁର ପ୍ରତିରକ୍ଷା ଘାଟିରୁ ତଥ୍ୟ ଚୋରି ଘଟଣା ; ହନିଟ୍ରାପ୍‍ ଲିଙ୍କ୍‍ ନେଇ ମିଳିଲା ତଥ୍ୟ

କଟକ : ଶେଷରେ ଯାହା ସନ୍ଦେହ କରାଯାଉଥିଲା ତାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ)ରୁ ଗୁପ୍ତତଥ୍ୟ ଚୋରି କରିବା ଘଟଣାରେ ଗିରଫ ୫ଅଭିଯୁକ୍ତଙ୍କୁ ରବିବାର ପୁଲିସ ମୁଖ୍ୟାଳୟରେ ଅପରାଧ ନିୟନ୍ତ୍ରଣ ଶାଖା ପକ୍ଷରୁ ପଚରାଉଚରା ପରେ ଏହି କଥା ପଦାକୁ ଆସିଛି। ଅଭିଯୁକ୍ତଙ୍କୁ ୭ଦିନିଆ ଜିମାରେ ଆଣି ପଚରା ଆରମ୍ଭ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ୫ଟି ଦଳ ଗଠନ କରାଯାଇଥିଲା। ସକାଳ ସାଢ଼େ ୧୦ଟାରେ ପ୍ରଥମ ଜେରା ଆରମ୍ଭ କରାଯାଇଥିଲା। ପ୍ରଥମେ ଅଭିଯୁକ୍ତ ବସନ୍ତ ବେହେରାକୁ ଅଧିକାରୀମାନେ ଏକାଧିକ ପ୍ରଶ୍ନ ପଚାରିଥିଲେ। ଏହାପରେ ଅନ୍ୟ ଅଭିଯୁକ୍ତଙ୍କୁ ପୃଥକ ପୃଥକ ଭାବେ ପଚରାଉଚରା କରାଯାଇଥିଲା। ମୁଖ୍ୟତଃ କେବେଠାରୁ ଚାକିରି କରିଛ, କେତେ ଦରମା ପାଉଥିଲ ଏଭଳି କେତେକ ସହଜ ପ୍ରଶ୍ନରୁ କ୍ରାଇମ୍‍ବ୍ରାଞ୍ଚ ଜେରା ଆରମ୍ଭ କରିଥିଲା। ଏହାପରେ ପ୍ରକୃତ ଘଟଣା ଉପରକୁ ଆସିଥିଲେ ଜେରା କରୁଥିବା ଅଧିକାରୀମାନେ କ୍ଷେପଣାସ୍ତ୍ରଘାଟିରୁ ଗୁପ୍ତ ତଥ୍ୟ ଚୋରି କରିବା ଲାଗି କିଏ ପ୍ରଥମେ କହିଥିଲା ଓ କିପରି ସେ ଯୋଗାଯୋଗରେ ଆସିଥିଲେ ସେ ନେଇ ଗୁଡେଇତୁଡେଇ ଅନେକ ପ୍ରଶ୍ନ କରାଯାଇଥିଲା। ଅଭିଯୁକ୍ତ ମୁସାଫିର ହନିଟ୍ରାପ୍‍ ଲିଙ୍କ୍‍ ନେଇ ତଥ୍ୟ ଓଗାଳିଥିଲା। ଏହାପରେ ସବୁ ଅଭିଯୁକ୍ତଙ୍କୁ ପୃଥକ ପୃଥକ ଭାବେ ପଚରାଉଚରା କରାଯିବାରୁ ବହୁ ରହସ୍ୟମୟ ତଥ୍ୟ ପଦାକୁ ଆସିଥିଲା। ଅଭିଯୁକ୍ତମାନେ ସେ କିଛିମାସ ହେବ ପାକିସ୍ଥାନର କେତେକ ସୁନ୍ଦରୀ ଯୁବତୀଙ୍କ ଲିଙ୍କ୍‍ରେ ରହିଥିଲେ। ଉକ୍ତ ଯୁବତୀମାନେ ତାକୁ ନିୟମିତ ଭିଡିଓ କଲ ଓ ଚାଟ କରୁଥିଲେ। ସେମାନଙ୍କ ଘର ପଶ୍ଚିମବଙ୍ଗ ଓ ରାଜସ୍ଥାନର ହୋଇଥିବା ସେମାନେ କହିଛନ୍ତି। ମୁଖ୍ୟତଃ ବ୍ରହ୍ମାସ୍ତ୍ର ସମ୍ପର୍କରେ ସେମାନେ ସମସ୍ତ ତଥ୍ୟ ଉକ୍ତ ଯୁବତୀଙ୍କୁ ପ୍ରଦାନ କରିଥିବା କହିଛନ୍ତି। ଅନ୍ୟପକ୍ଷରେ କେତେକ ବରିଷ୍ଠ ଅଧିକାରୀଙ୍କ ଏହି ଘଟଣାରେ ଜଡିତ ରହିଥିବା ଅନୁମାନ କରାଯାଉଛି। ଯଦି ଏପରି ହୋଇଥାଏ ତେବେ ବହୁ ଗୁରତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ହୋଇଥିବା ନେଇ ଅଧିକାରୀମାନେ ସନ୍ଦେହ କରିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଘନ ଘନ ଜେରା କରାଯାଇଥିଲା। ପୁଣି ବିଳମ୍ବିତ ରାତିରେ ଜେରା କରାଯିବାର କାର୍ଯ୍ୟକ୍ରମ ରହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଘାଟି ଦେଶପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେଠାରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀମାନେ ନିରାପତ୍ତା ସଂକ୍ରାନ୍ତୀୟ ତଥ୍ୟ ପ୍ରଘଟ କରିବା ନେଇ ଜଣାପଡ଼ିଥିଲା। ତଦନୁଯାୟୀ ପ୍ରଥମେ ପୁଲିସ ବସନ୍ତ ବେହେରା, ହେମନ୍ତ କୁମାର, ତାପସ ରଞ୍ଜନ ନାୟକ, ସେକ୍‍ ମୁସାଫିର ଓ ଆଇଟିଆର ସ୍ଥାୟୀ କର୍ମଚାରୀ ତଥା ଚାଳକ ଭାବେ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶ ମିରଟର ସଚିନ୍‍ କୁମାର ଛତାକୁ ଗିରଫ କରିଥିଲା। ଏହା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ଥାନ୍ତର କରାଯାଇଥିଲା। ତଦନ୍ତ ଜାରି ରଖିଛି। ୫ଅଭିଯୁକ୍ତଙ୍କୁ ଜିମାରେ ଆଣି ଜେରା ଆରମ୍ଭ କରିଛି। ସେମାନଙ୍କ ସହ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏହର ଖୋଳତାଡ ଆରମ୍ଭ ହୋଇଛି।

Comments are closed.