ସହରାଞ୍ଚଳରେ ଜଳବନ୍ଦୀ ଆଶଙ୍କା : ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବଡ ଧରଣର ବର୍ଷା ଆଶଙ୍କା ଥିବାରୁ ଏ ନେଇ ସହରାଞ୍ଚଳରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ପ୍ରତ୍ୟେକ ପୌରାଞ୍ଚଳକୁ ପୂର୍ବରୁ ପଠାଯାଇଥିବା ୧୯ଟି ନିର୍ଦ୍ଦେଶନାମାକୁ ପାଳନ ପାଇଁ ଏଥିରେ କୁହାଯାଇଛି।
ସହରାଞ୍ଚଳରେ ବନ୍ୟାଭଳି ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ କଂଟ୍ରୋଲ ରୁମ୍‍ ପ୍ରତିଷ୍ଠା ସହିତ ସେଠାରେ ଜଣେ ନୋଡାଲ ଅଫିସରଙ୍କୁ ମୁତୟନ କରିବାଲାଗି କୁହାଯାଇଛି। ଏହି କଂଟ୍ରୋଲ ରୁମ୍‍ ୨୪ ଘଣ୍ଟା କାର୍ଯ୍ୟ କରିବା ସହିତ ସାଧାରଣ ଲୋଙ୍କ ଅଭିଯୋଗ ଗ୍ରହଣ କରିବ। ସେହିଭଳି ବନ୍ୟା ସ୍ଥାନ ଚିହ୍ନଟ ସହିତ ଏହାର ପରିଚାଳନା ପାଇଁ ଟିମ୍‍ ଗଠନ କରିବା, ଡ୍ରେନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ନିର୍ମାଣ କାର୍ଯ୍ୟ ସାରିବା, ଡ୍ରେନରୁ ଅଳିଆ ହଟାଇବା, ଡ୍ରେନ ଉପରେ ଖାଲିଥିବା ସ୍ଥାନରେ ସ୍ଲାବ ପକାଇବା ଆଦି କାର୍ଯ୍ୟ କରିବା ଲାଗି କୁହାଯାଇଛି। ସେହିଭଳି ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ ସହିତ ସେଠାରୁ ଜବରଦଖଲ ହଟାଇବା, ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସର ସହାୟତା ନେବା, ସହରାଞ୍ଚଳରୁ କଠିନ ବର୍ଜ୍ୟବସ୍ତୁ ହଟାଇବା, ଜଳବନ୍ଦୀ ପରିଚାଳନା ପାଇଁ ପମ୍ପ, ଡିଜିସେଟ୍‍ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସେହିଭଳି ଏଥିପାଇଁ ଆବଶ୍ୟକ ପଡୁଥିବା ଇନ୍ଧନ ଗଚ୍ଛିତ ରଖିବାକୁ ପ୍ରମୁଖ ସଚିବ କହିଛନ୍ତି। ତେବେ ବର୍ଷା ପୂର୍ବରୁ ସମସ୍ତ ପ୍ରସ୍ତୁତିକାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ସାରିବା ସହିତ ଯେଭଳି କୌଣସି ସହରାଞ୍ଚଳରେ ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି।

Comments are closed.