‘ତୃତୀୟ ଲହର ଆଶଙ୍କାକ୍ଷୀଣ ’

ଗଜପତିରେ ସଂକ୍ରମଣ ଶୂନ୍

ଭୁବନେଶ୍ୱର : ଓଡ଼ିଶାକୁ ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ଜଣାପଡୁନାହିଁ ବୋଲି ରାଜ୍ୟ ଭେଷଜ, ଶିକ୍ଷା ଓ ତାଲିମ ନିର୍ଦେଶକ ଡା. ସି ବି କେ ମହାନ୍ତି କହିଛନ୍ତି। ସୋମବାର ଶ୍ରୀ ମହାନ୍ତି କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୬ଶହରୁ ୨ହଜାର ଭିତରେ ରହୁଛି। ଗଜପତି ଓ ନୂଆପଡା ଭଳି କିଛି ଜିଲାରେ ସଂକ୍ରମଣ ଶୂନ୍ ହୋଇ ଆସିଲାଣି। ଆଉ ୮ଟି ଜିଲାରେ ଦୈନିକ ସଂକ୍ରମଣ ଗୋଟିଏ ଅଙ୍କ ଭିତରେ ରହୁଛି। ଅବଶିଷ୍ଟ ୨୦ଣି ଜିଲାରେ ସଂକ୍ରମଣ ସଂଖ୍ୟା ଯାହା ବି ରହୁଛି ତାହା ନିୟନ୍ତ୍ରଣ ଭିତରେ। ତେଣୁ ତୃତୀୟ ଲହର ଓଡ଼ିଶାକୁ କେବେ ଆସିବ ଏବଂ ତା’ର କ’ଣ ପ୍ରଭାବ ରହିବ ସେ ନେଇ ଏବେଠାରୁ ଅନୁମାନ ଲଗାଇବା ଠିକ୍ ନୁହେଁ। ରାଜ୍ୟରେ ସଂକ୍ରମଣ ହାର କମି ଚାଲିଛି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ବାରମ୍ବାର ହାତ ଧୋଇବାକୁ ପଡ଼ିବ। ବିଭିନ୍ନ ଦିଗକୁ ଅଵଲୋକନ କରିବା ପରେ ତାଲାବନ୍ଦ ନିଷ୍ପତ୍ତି ନିଆଯିବ ବୋଲି ଡା. ମହାନ୍ତି କହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ୮୬୨କୋଟି ଟଙ୍କାର ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ଜିଲାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ଟି ଶଯ୍ୟା ବିଶିଷ୍ଟ କୋଭିଡ଼ ଯତ୍ନ କେନ୍ଦ୍ର ପ୍ରସ୍ତୁତ କରିବାକୁ ରହିଥିବାବେଳେ କେତେକ ପ୍ରାଥମିକ ସ୍ବାସ୍ଥ୍ୟଗୁଡିକରେ ୬ଟି ଶଯ୍ୟା ବିଶିଷ୍ଟ କୋଭିଡ଼ ଯତ୍ନ କେନ୍ଦ୍ର ପ୍ରସ୍ତୁତ କରାଯିବାକୁ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଖର୍ଚ୍ଚ ହେବାକୁ ଥିବା ଏହି ୮୬୨କୋଟି ଟଙ୍କା ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ୬୦:୪୦ ପ୍ରତିଶତ ଅଂଶଧନ ରହିବ। ଏଥିପାଇଁ କେନ୍ଦ୍ର ୫୧୭.୧୮କୋଟି ଏବଂ ରାଜ୍ୟ ୩.୪୪.୭୮କୋଟି ଟଙ୍କା ଖର୍ଚ୍ଚ କରିବ। ଏହି ଅର୍ଥରେ ନମୁନା ପରୀକ୍ଷାକୁ ଗୁରୁତ୍ବ ଦିଆଯିବା ସହିତ, ଟେଲିମେଡିସିନ୍ ସେବା, ଜଟିଳ ରୋଗୀଙ୍କ ପହିବହନ, କରୋନା ଯତ୍ନ କେନ୍ଦ୍ର, କୋଭିଡ଼ ଯତ୍ନ କେନ୍ଦ୍ର ପ୍ରସ୍ତୁତ କରାଯିବାକୁ ରହିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲାରେ ‘ଆରଟିପିସିଆର’ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାର ଓ ତରଳ ଅମ୍ଳଜାନ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷ​ରେ ରାଜ୍ୟରେ ସଂକ୍ରମଣ ହାର ୨.୨ ପ୍ରତିଶତକୁ ଖସିଛି। ରାଜ୍ୟରେ ଗତକାଲି ୭୪ ହଜାର ୫୫୩ ନମୁନା ପରୀକ୍ଷା କରାଯାଇଥିବାବେଳେ ୧ହଜାର ୬୩୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୯ ହଜାର ୧୮୫କୁ ଛୁଇଁଛି। ରବିବାର କଟକ ଜିଲା କରୋନାର ‘ଲାଲ ବଳୟ’ରୁ ମୁକ୍ତି ଲାଭ କରିଥିବାବେଳେ ଆଜି ଗଜପତିରେ ଗୋଟିଏ ହେଲେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଜିଲାରେ ଏବେ ୬୯ ସକ୍ରିୟ ଆକ୍ରାନ୍ତ ରହିଛନ୍ତି, ଯାହାକି ଅନ୍ୟ ୨୮ଟି ଜିଲାଠାରୁ କମ୍ ରହିଛି।
ସେହିପରି ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ରହିଥିବାବେଳେ କଟକରୁ ୨୫୦ ଓ ଅନୁଗୋଳରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରୁ ଏକ ଅଙ୍କ ଭିତରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ ଜିଲାଗୁଡିକରୁ ୨ ଅଙ୍କ ଭିତରେ ଆକ୍ରାନ୍ତ ବାହାରିଛନ୍ତି। ଦିନକରେ ପୁଣି ରାଜ୍ୟରେ ୬୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୫୭୪କୁ ଛୁଇଁଛି। ଆଜି ଖୋର୍ଦ୍ଧାରେ ସର୍ବାଧିକ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ତେବେ ଜିଲାରେ ଆଜି ୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୨ ମୃତ୍ୟୁକୁ ନେଇ ଜିଲାର କରୋନା ମୃତ୍ୟୁ ହାର ୧୨ ପ୍ରତିଶତକୁ ଛୁଇଁଛି। ରାଜ୍ୟରେ ଆଜି ୩.୮ ପ୍ରତିଶତ କରୋନା ମୃତ୍ୟୁ ଥିବାବେଳେ ଖୋର୍ଦ୍ଧାରେ କ’ଣ ପାଇଁ ୧୨ପ୍ରତିଶତକୁ ମୃତ୍ୟୁ ହାର ଛୁଇଁଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ କାହିଁକି ବାସ୍ତବ ମୃତ୍ୟୁ ରିପୋର୍ଟ ଦର୍ଶାଯାଉ ନାହିଁ ତାକୁ ନେଇ ସବୁ ମହଲରେ ଏବେ ସନ୍ଦେହ ଘନୀଭୂତ ହେଉଛି। ଆଜି ୪୨ ମୃତ୍ୟୁକୁ ନେଇ ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୧୦୯୯କୁ ଛୁଇଁଛି। ଏହାବାଦ୍ ସୁନ୍ଦରଗଡ଼ରେ ଆଜି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ ୪, ଯାଜପୁରରେ ୨, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି।
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି ଯେ ଅନ୍ୟାନ୍ୟ ଜିଲାର ପୁରୁଣା ମୃତ୍ୟୁ ରିପୋର୍ଟ ଯାଞ୍ଚ ପ୍ରକ୍ରିୟା ପ୍ରାୟ ଶେଷ ହୋଇ ଆସିଲାଣି। ଆଉ କିଛି ଦିନ ପରେ ବାସ୍ତବ ମୃତ୍ୟୁ ସଂଖ୍ୟା ଦର୍ଶାଯିବ।

Comments are closed.