ଡମ୍ପିଂୟାର୍ଡରେ ନିଆଁ ଭୟ : ଚିନ୍ତାରେ ଦାରୁଠେଙ୍ଗ ଅଞ୍ଚଳବାସୀ

ଚନ୍ଦକା : ଦାରୁଠେଙ୍ଗର ଭୁଆଶୁଣୀ ଡମ୍ପିଂୟାର୍ଡ ଅଗ୍ନିକାଣ୍ଡ ଭୟ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ରୌଦ୍ରତାପ କାରଣରୁ ଡମ୍ପିଂୟାର୍ଡରେ ଗଦା ହୋଇଥିବା ବର୍ଜ୍ୟବସ୍ତୁରେ କେତେବେଳେ ଯେ ଅଗ୍ନିକାଣ୍ଡ ନ ଘଟିବ, ତାହା କଳନା କରିବା ମୁସ୍କିଲ। ଏହା ଭିତରେ ପ୍ରାୟ ମାସକ ଭିତରେ ଦୁଇଥର ଡମ୍ପିଂୟାର୍ଡରେ ଅଗ୍ନିକାଣ୍ଡ ଘଟିସାରିଲାଣି। ଡମ୍ପିଂୟାର୍ଡ ଅଳିଆଗଦାରେ ପ୍ରାୟ ପ୍ରତିବର୍ଷ ଗ୍ରୀଷ୍ମଋତୁରେ ନିଆଁ ଲାଗିବା ସାଧାରଣ ଘଟଣା ହୋଇସାରିଲାଣି। ଫଳରେ ପ୍ରଚଣ୍ଡ ରୌଦ୍ରତାପରେ ବାୟୁମଣ୍ଡଳ ଉତ୍ତପ୍ତ ହେବା ସ୍ବାଭାବିକ। ଦାରୁଠେଙ୍ଗ ଓ ଆଖପାଖ ଗ୍ରାମରେ ରାତିରେ ଘର ଭିତରେ ଓ ବାହାରେ ରହିବା ଅସମ୍ଭବ ହୋଇପଡ଼ିଥାଏ। ଅଧିକାଂଶ ଗ୍ରାମବାସୀ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ େହାଇଥିବା ନେଇ ଅଭିେଯାଗ େହାଇଛି। ଚଳିତବର୍ଷ ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗି ଅନେକ ବୃକ୍ଷରାଜି ନଷ୍ଟ ହୋଇଛି। ସବୁଜ ବନାନୀ ନଷ୍ଟ ଓ ଅଳିଆଗଦାରେ ନିଆଁ ଲାଗିବା ନେଇ ସାଧାରଣ ଜନଜୀବନ ଦୁର୍ବିସହ ହୋଇପଡୁଛି। ବିଏମ୍‌ସି ପକ୍ଷରୁ ଡମ୍ପିଂୟାର୍ଡରେ ଅଗ୍ନିକାଣ୍ଡ ରୋକିବାକୁ ସତର୍କତାମୂଳକ ପଦକ୍ଷେପସ୍ବରୂପ ପାଣିଟାଙ୍କି ରହୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ। ଥରେ କୌଣସି କାରଣରୁ ଆବର୍ଜନା ଗଦାରେ ନିଆଁ ଲାଗିଲେ, ତାହା ଏକର ଏକର ଅଞ୍ଚଳକୁ ଶୀଘ୍ର ବ୍ୟାପିଯାଇଥାଏ।
ଦାରୁଠେଙ୍ଗରେ ବହୁ ଆନ୍ଦୋଳନ, ଦାବି ପରେ ଆବର୍ଜନା ସ୍ତୂପକୁ ଉଠାଇ ସେଠାରେ ପାର୍କ ନିର୍ମାଣ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ସୀମିତ ରହିଛି। ଦାରୁଠେଙ୍ଗର ଭୁଆଶୁଣୀ ଡମ୍ପିଂୟାର୍ଡରେ ୧୬ ଲକ୍ଷ ମେଟ୍ରିକ ଟନ୍‌ ଅଳିଆ ଗଦା ହୋଇଥିବା ପ୍ରାଥମିକ ସର୍ଭେରୁ ଜଣାଯାଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ ହେଲେ ପର୍ଯ୍ୟାୟକ୍ରମେ ଭୁଆଶୁଣୀ ଡମ୍ପିଂୟାର୍ଡରୁ ଅଳିଆ ଖାଲିହେବ। ଏହା ପୂର୍ବରୁ ସହରର ଅଳିଆ ଡମ୍ପିଂୟାର୍ଡରେ ପଡ଼ିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। କରୋନା ମହାମାରୀ କାରଣରୁ ନିର୍ଦିଷ୍ଟ ଅବଧି ବଢ଼ି ଚାଲିଲା। ଏହା ଆଜିପର୍ଯ୍ୟନ୍ତ ସେହିଭଳି ଚାଲିଛି। ପ୍ରତିଦିନ ୩୦/୪୦ ବର୍ଜ୍ୟ ଗାଡ଼ି ଡମ୍ପିଂୟାର୍ଡକୁ ଆସୁଛି। ଏହା ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ଏହି ଘଟଣାକୁ ନେଇ ଦାରୁଠେଙ୍ଗ ସହ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସରକାରଙ୍କ ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେବ, ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ।

ପ୍ରଶାନ୍ତ ରାଉତରାୟ, ପୂର୍ବତନ ସରପଞ୍ଚ : ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସ୍ତାବ ସେହିଭଳି ସ୍ଥିତିରେ ରହିଛି। କୌଣସି ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଡମ୍ପିଂୟାର୍ଡରେ ନିଆଁ ଲାଗିବା ଫଳରେ ପରିବେଶ ପ୍ରଦୂଷଣ ହେବା ସହ ଗ୍ରାମବାସୀ ଏହାର ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି।
ବେଣୁଧର ହରିଚନ୍ଦନ, ଦାରୁଠେଙ୍ଗ ଗ୍ରାମବାସୀ : ଡମ୍ପିଂୟାର୍ଡ ଉଚ୍ଛେଦ ହିଁ ଏକମାତ୍ର ସମାଧାନର ବାଟ। ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଛନ୍ତି। ଡମ୍ପିଂୟାର୍ଡରେ ନିଆଁ ଲାଗି ପରିବେଶ ପ୍ରଦୂଷଣ କରୁଛି। ଏପରିକି ଏହାର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ପଡ଼ିବାରେ ନନ୍ଦନକାନନ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ଡମ୍ପିଂୟାର୍ଡ ହେବା ଫଳରେ ଭୂତଳ ଜଳସ୍ତର ପ୍ରଦୂଷିତ ହେଉଛି। ଅଞ୍ଚଳବାସୀ ବିଭିନ୍ନ ରୋଗରେ ପଡୁଛନ୍ତି।
ସମୀର ଶ୍ରୀଚନ୍ଦନ, ଦାରୁଠେଙ୍ଗ ଗ୍ରାମବାସୀ : ଡମ୍ପିଂୟାର୍ଡ ହେବା ଦିନରୁ ପ୍ରତିବର୍ଷ ଖରାଦିନେ ନିଆଁ ଲାଗିଥାଏ। ଖରା ଓ ନିଆଁ ତାତିରେ ଗ୍ରାମବାସୀ ଛଟପଟ ହେଉଛନ୍ତି। ଡମ୍ପିଂୟାର୍ଡ ଉଠିବ, ପାର୍କ ହେବ ଶୁଣି ଆସୁଛୁ, କିନ୍ତୁ କାର୍ଯ୍ୟକାରୀ କେବେ?

Comments are closed.