ଏସିଆନ୍ ଚମ୍ପିଆନ୍‌ସ ଟ୍ରଫି ପୁରୁଷ ହକି : କୋରିଆ ସହ ଭାରତର ମୁକାବିଲା ଆଜି

ଢାକା : ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳ ମଙ୍ଗଳବାର ପ୍ରଥମଥର ପଡ଼ିଆକୁ ଓହ୍ଲାଇବାକୁ ଯାଉଛି । ଏଠାରେ ଆରମ୍ଭ ହେଉଥିବା ଏସିଆନ୍ ଚମ୍ପିଆନ୍‌ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ରେ ମଙ୍ଗଳବାର କୋରିଆର ମୁକାବିଲା କରିବ ଭାରତ। ୨୦୧୧ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭହେବା ପରଠାରୁ ଭାରତ ଏହାକୁ ୩ ଥର ଜିତି ସାରିଲାଣି। ୨୦୧୬ ଓ ୨୦୧୮ରେ ଶେଷ ୨ ଥର ଭାରତ ଚମ୍ପିଆନ୍ ହୋଇଥିବା ବେଳେ ଏଥର ଜିତି ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି। ମଙ୍ଗଳବାର କୋରିଆ ବିପକ୍ଷରେ ଖେଳିବା ପରେ ଭାରତ ୧୫ରେ ଆୟୋଜକ ବାଂଲାଦେଶ ବିପକ୍ଷରେ, ୧୭ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଏବଂ ୧୯ରେ ଏସୀୟ କ୍ରୀଡ଼ା ଚମ୍ପିଆନ୍ ଜାପାନ ବିପକ୍ଷରେ ଭାରତ ଲିଗ୍ ମ୍ୟାଚ୍‌ ଖେଳିବ। ସେମିଫାଇନାଲ ୨୧ରେ ଓ ଫାଇନାଲ ୨୨ରେ ଖେଳାଯିବ। କୋରିଆ ବିପକ୍ଷ ମ୍ୟାଚ୍‌ ଜିତି ଭଲ ପ୍ରାରମ୍ଭ ପାଇଁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଅଧିନାୟକ ମନପ୍ରୀତ ସିଂହ। କୋରିଆ ଏକ ଭଲ ଦଳ ଏବଂ ପ୍ରତ୍ୟାକ୍ରମଣ ଜରିଆରେ ପ୍ରତିପକ୍ଷଙ୍କୁ ଚକ୍‌ମା ଦେବା​‌େ​‌ର ଏହା ସିଦ୍ଧହସ୍ତ ବୋଲି ମନପ୍ରୀତ କହନ୍ତି। ଟୋକିଓ ଅଲିମ୍ପିକ୍‌ସ ପରେ ଏହା ଭାରତର ପ୍ରଥମ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ନୂତନ ଭାବେ ଯାତ୍ରା ଆରମ୍ଭ କରିବାକୁ ଦଳ ଲକ୍ଷ୍ୟ ରଖିଛି। ଦଳର ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବା ଯୋଗୁଁ ଦଳର ଆତ୍ମବିଶ୍ବାସ ଶିଖରରେ ରହିଛି। ଅଲିମ୍ପିକ୍‌ସରେ ବିଶ୍ବର ଭଲ ଦଳଙ୍କୁ ପରାସ୍ତ କରିଥିବାରୁ ଏସୀୟ ବିପକ୍ଷମାନଙ୍କ ବିପକ୍ଷରେ ମ୍ୟାଚ୍‌ ଜିତିବା ଭାରତ ପାଇଁ ସେତେଟା କଷ୍ଟକର ହେବନାହିଁ ବୋଲି ଅନୁମାନ କରାଯାଉଛି। ୨୦୧୭ରେ ଢାକାରେ ଖେଳା ଯାଇଥିବା ଏସିଆ କପ୍‌ରେ ଭାରତ ସହ କୋରିଆ ମ୍ୟାଚ୍‌ ୧-୧ରେ ଡ୍ର ରଖିଥିଲା। ହେଲେ ଏହା ପରଠାରୁ ଭାରତୀୟ ଦଳର ଶକ୍ତିବୃଦ୍ଧି ଘଟିଛି।

Comments are closed.