ଚାମୋଲି ହିମସ୍ଖଳନ, ନିଖୋଜ ୧୩୬ ‘ଆପାତତଃ ମୃତ’

ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ବିତିଥିଲେ ମଧ୍ୟ ପ୍ରାୟ ୧୩୬ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଆଉ ଜୀବିତାବସ୍ଥାରେ ସନ୍ଧାନ କରିବା ଆଶା କମ୍‌ ଥିବାରୁ ରାଜ୍ୟ ସରକାର ‘ଆପାତତଃ ମୃତ’ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହିମସ୍ଖଳନରେ ୨୦୪ ନିଖୋଜ ଥିବା ହିସାବ କରାଯାଇଥିଲାବେଳେ ସେମାନଙ୍କ ମଧ୍ୟରୁ ୬୮ଜଣଙ୍କ ମୃତଦେହ ବହୁ କଷ୍ଟରେ ଉଦ୍ଧାର କରାଯାଇଛି। ଏତଦ୍‌ବ୍ୟତୀତ ୨୯ଜଣଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର କରାଯାଇଛି। ଏହି ଘୋଷଣା ପରେ ହିମସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୨୦୪ରେ ପହଞ୍ଚିବ। ମଙ୍ଗଳବାର ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେବା ସହିତ ସମ୍ପୃକ୍ତ ନିଖୋଜ ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରୁଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ନେଗିଙ୍କ କହିବାନୁସାରେ ସରକାର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ଅନୁଯାୟୀ ନିଖୋଜଙ୍କ ମୃତ୍ୟୁ ପ୍ରମାଣପତ୍ର ସେମାନଙ୍କ ପରିବାର କିମ୍ବା ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରିବେ। ଏଥିପାଇଁ ସେମାନଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇଥିବା ଉତ୍ତରାଖଣ୍ଡ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ବର୍ଗରେ ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦା ଅଛନ୍ତି। ଦ୍ୱିତୀୟରେ ଅଛନ୍ତି ସେଠାରେ ଉପସ୍ଥିତ ରାଜ୍ୟର ଅନ୍ୟ ଜିଲାବାସୀ। ତୃତୀୟ ଶ୍ରେଣୀରେ ପର୍ଯ୍ୟଟକ ଓ ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କ ନାମ ରହିଛି। ଏହି ବିଭାଗୀକରଣ ନିଖୋଜଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନରେ ସହାୟକ ହେବ ବୋଲି ନେଗି କହିଛନ୍ତି।

ଅନ୍ୟ ଏକ ଘଟଣାରେ ବୈଜ୍ଞାନିକମାନେ ଚମୋଲିରେ ପୁନର୍ବାର ବିପର୍ଯ୍ୟୟର ଆଶଙ୍କା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଋଷିଗଙ୍ଗା ନଦୀ ମୁହାଣରେ ପାଣି ଜମା ହୋଇ ଏକ ହ୍ରଦ ସୃଷ୍ଟି ହୋଇଥିବାରୁ ଭବିଷ୍ୟତର ବିପର୍ଯ୍ୟୟ ଟାଳିବା ଲକ୍ଷ୍ୟରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଓ ୟୁଏସଏସିର ୪-୪ ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ୩୦ଜଣିଆ ବିଶେଷଜ୍ଞ ଦଳ ଏହାକୁ ପାଖାପାଖି ୧୫ ଫୁଟ ଚଉଡ଼ା କରିଛନ୍ତି। ଏଠାରେ ଅଧିକ ପାଣି ଜମି ରହିଲେ ଏହା ଭାଙ୍ଗିଯିବାର ଆଶଙ୍କା ଥିବାରୁ ଏଭଳି କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ (ଏସଡିଆରଏଫ) କାମାଣ୍ଡାଣ୍ଟ ନବନୀତ ଭୁଲ୍ଲରଙ୍କ କହିବାନୁସାରେ ମୁହାଣକୁ ଚଉଡ଼ା କରାଯିବା ଦ୍ବାରା ସେଠାରୁ ଜଳ ନିଷ୍କାସନ କ୍ଷିପ୍ର ହୋଇଛି। ଜଳ ବହିଯିବା ଦ୍ବାରା ବିପର୍ଯ୍ୟୟର ଆଶଙ୍କା କମ୍‌ ରହିବ।

ଏହି ଦଳରେ ନେହରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟନିୟରିଂର ପର୍ବତାରୋହୀମାନେ ମଧ୍ୟ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ ଋଷିଗଙ୍ଗା ମୁହାଣରେ ସୃଷ୍ଟି ହୋଇଥିବା ହ୍ରଦର ଆକାର ପ୍ରାୟ ୧୫ମିଟର ଗଭୀର ଓ ସେଥିରେ ପ୍ରାୟ ୪.୮୦ କୋଟି ଲିଟର ଜଳ ଥିବାର ଆକଳନ କରାଯାଉଛି। ଏତଦ୍‌ବ୍ୟତୀତ ଧନଜୀବନ ସୁରକ୍ଷା ପାଇଁ ଆଖପାଖ ଅଞ୍ଚଳର ପ୍ରାୟ ୧୦ଟି ଗାଁକୁ ସ୍ଥାନାନ୍ତର କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ଏ ବାବଦରେ ହଜାର ହଜାର କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି।

Comments are closed.