ଚମତ୍କାର ଶକ୍ତି

0

ତଥାଗତ ଏକଦା ଏକ ପାହାଡ଼ର ପାଦ ଦେଶରେ ଧ୍ୟାନସ୍ଥ ଥାଆନ୍ତି। ପାର୍ଶ୍ବରେ ଶିଷ୍ୟମାନେ ମଧ୍ୟ ବସିଥାନ୍ତି। ହଠାତ୍‌ ଏକ ଭୟଙ୍କର ଶବ୍ଦ ଶୁଭିଲା। ତଥାଗତଙ୍କୁ ଛାଡ଼ି ସେଠାରେ ଧ୍ୟାନସ୍ଥ ଥିବା ସମସ୍ତ ଶିଷ୍ୟଙ୍କର ଧ୍ୟାନଭଗ୍ନ ହେଲା। ଚକିତ ହୋଇ ସମସ୍ତେ ପାହାଡ଼ ଉପରକୁ ଅନାନ୍ତେ ଦେଖିବାକୁ ପାଇଲେ ଏକ ବିରାଟକାୟ ଶିଳାଖଣ୍ଡ ଉପରୁ ଖସୁଛି। ଶିଷ୍ୟମାନଙ୍କ ମଧ୍ୟରେ ଆତଙ୍କ, ଭୟ, ଆଶଙ୍କା ଛାଇ ହୋଇଗଲା। ସେହି ମୁହୁର୍ତ୍ତରେ କାହାରି ହେଲେ ହଠାତ୍‌ ମନକୁ ଆସିଲା ନାହିଁ ଏଭଳି ସ୍ଥିତିରେ କ’ଣ ବା କରାଯାଇପାରେ। ପ୍ରତ୍ୟେକେ ନିଜ ଜୀବନ ବଞ୍ଚାଇବା ଲାଗି ତୁରନ୍ତ ଏଣେତେଣେ ପଳାଇ ଯାଇଥିଲେ। କାହାରି ହେଲେ ଧ୍ୟାନସ୍ଥ ତଥାଗତଙ୍କ ପ୍ରତି ନିଘା ନଥିଲା।
ନିରାପଦ ଦୂରକୁ ଯାଇ ଦେଖିବାକୁ ପାଇଲେ ପଥରଟି ଠିକ୍‌ ତଥାଗତ ଧ୍ୟାନସ୍ଥଥିବା ସ୍ଥାନରେ ହିଁ ଉପରୁ ଗଡ଼ିଗଡ଼ି ଆସୁଛି। ସେମାନଙ୍କ ମଧ୍ୟରୁ କାହାରି ହେଲେ ସାହସ ସଞ୍ଚାରିତ ହୋଇନଥିଲା କିପରି ସେହି ଗଡ଼ୁଥିବା ପଥରକୁ ଦିଗଭ୍ରଷ୍ଟ କରାଯାଇପାରିବ ଅଥବା ରୋକାଯାଇପାରିବ। ସମସ୍ତେ ଏକ ଲୟରେ ଭୀତତ୍ରସ୍ତ ହୋଇ ସେହି ଗଡ଼ୁଥିବା ପଥର ଆଡ଼କୁ ନିର୍ନିଶେଷ ଦୃଷ୍ଟିରେ ଚାହିଁ ରହିଥାନ୍ତି।
ଶିଷ୍ୟମାନେ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲେ ଯେ ଏବେ ଧ୍ୟାନସ୍ଥ ତଥାଗତଙ୍କୁ କେହି ହେଲେ ବଞ୍ଚାଇ ପାରିବେନାହିଁ। ଅହେତୁକ ଭୟ, ଆଶଙ୍କା, ଅତିମାତ୍ରାରେ ଆତଙ୍କିତ ଶିଷ୍ୟମାନେ ଉପାୟହୀନ ଜଡ଼ବତ ହୋଇଯାଇଥିଲେ। ତଥାଗତଙ୍କ ଜୀବନରକ୍ଷା ପାଇଁ କେହିକେହି ପ୍ରାର୍ଥନା କରୁଥିଲେ।
ହଠାତ୍‌ ଏକ ଚମତ୍କାର ଘଟଣା ଘଟିଲା- ଯାହା ସଂପୂର୍ଣ୍ଣ ଅବିଶ୍ବସନୀୟ ଥିଲା। କ୍ଷିପ୍ର ଗତିରେ ଗଡ଼ୁଥିବା ପଥରଟି ଅନ୍ୟଏକ ପଥର ଦେହରେ ଧକ୍କା ଖାଇ ଦୁଇଖଣ୍ଡ ହୋଇଗଲା। ଖଣ୍ଡେ ଧ୍ୟାନମଗ୍ନ ତଥାଗତଙ୍କ ଡାହାଣ ପଟର କିଛି ଦୂରରେ ଓ ଅନ୍ୟ ଖଣ୍ଡଟି ବାମପଟର କିଛିଦୂରରେ ପଡ଼ିଥିଲା। ଶିଷ୍ୟମାନେ ତଥାଗତଙ୍କ ନିକଟକୁ ଦୌଡ଼ି ଯାଇଥିଲେ। ସେମାନେ ଦେଖିବାକୁ ପାଇଥିଲେ ସେହି ଦୁଇଖଣ୍ଡ ପଥର ମଧ୍ୟରୁ ଖଣ୍ଡେ ଛୋଟଟୁକୁରା ଛିଟିକିପଡ଼ି ତଥାଗତଙ୍କ ପେଟରେ ବାଜିଛି ଏବଂ ଏହା କ୍ଷତସୃଷ୍ଟି କରିବା ଦ୍ବାରା ସେହି ସ୍ଥାନରୁ ରକ୍ତ କ୍ଷରିତ ହେଉଛି।
ଶିଷ୍ୟମାନଙ୍କ କୋଳାହଳରେ ତଥାଗତଙ୍କ ଧ୍ୟାନଭଗ୍ନ ହୋଇଥିଲା। ତାଙ୍କୁ ସବୁକିଛି ବୃତ୍ତାନ୍ତ ଶିଷ୍ୟମାନେ କହିଥିଲେ। ତଥାଗତ ଏହି ଅଲୌକିକ ଘଟଣାରେ ତିଳେମାତ୍ର ବିସ୍ମିତ ନହୋଇ କହିଥିଲେ,- ଧ୍ୟାନର ଶକ୍ତି ଅକଳନୀୟ। ଧ୍ୟାନ କିଛି ମାତ୍ରାରେ ବ୍ୟତିକ୍ରମ ହୋଇଥିବାରୁ ଖଣ୍ଡେ ଛୋଟପଥର ତାଙ୍କ ପେଟରେ ବାଜି କ୍ଷତ ସୃଷ୍ଟି କରିଛି। ଧ୍ୟାନରେ ଯଦି କୌଣସି ତ୍ରୁଟି ହୋଇନଥାନ୍ତା ତେବେ ସେହି କ୍ଷୁଦ୍ର ପଥର ଖଣ୍ଡ ମଧ୍ୟ ତାଙ୍କ ପେଟରେ ନବାଜି ପାଦତଳେ ଆଶ୍ରା ଲୋଡ଼ିଥାଆନ୍ତା।’

Leave A Reply