ଶାନ୍ତିପୂର୍ଣ୍ଣ ଭାବେ ସରିଲା ଚକ୍କା ଜାମ୍‌, ଦିଲ୍ଲୀ ସୀମା ମାଡ଼ିଲେନି କୃଷକ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକମାନେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଚକ୍କା ଜାମ୍‌ ଆନ୍ଦୋଳନ କରିଥିଲେ। ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ଛାଡ଼ି ଅନ୍ୟ ସବୁ ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ୍‌ କରାଯାଇଥିଲା। ଏଥିରେ ୪୦ଟି କୃଷକ ସଂଗଠନ ଅଂଶଗ୍ରହଣ କରିଥିବାବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା। ତେବେ ଏହି ସମୟରେ ଦିଲ୍ଲୀ ସୀମା ଆଡ଼କୁ କୌଣସି ଚାଷୀ ଯାଇ ନ ଥିବା ଦେଖିବାକୁ ମିଳିଥିଲା।

Image Courtesy: Aajtak

ଗତ ସାଧାରଣତନ୍ତ୍ର ଦିବସ ଦିନ  ଟ୍ରାକ୍ଟର ରାଲି ସମୟରେ ଚାଷୀମାନେ ଦିଲ୍ଲୀ ସହରକୁ ଜୋର ଜବରଦସ୍ତି ପ୍ରବେଶ କରି ହିଂସା ସୃଷ୍ଟି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଦିଲ୍ଲୀ ମେଟ୍ରୋର ୧୦ ଷ୍ଟେଶନ ଯଥା ମଣ୍ଡି ହାଉସ, ଆଇଟିଓ, ଦିଲ୍ଲୀ ଗେଟ୍‌, ଲାଲ୍‌କିଲା, ଜାମା ମସଜିଦ, ଜନପଥ, କେନ୍ଦ୍ରୀୟ ସଚିବାଳୟ, ଖାନ୍‌ ମାର୍କେଟ, ନେହରୁ ପ୍ୟାଲେସ ଏବଂ ବିଶ୍ବବିଦ୍ୟାଳୟ ଗେଟ୍‌ ବନ୍ଦ କରିଦିଆଯାଇଥିଲା। ଚକା ଜାମ୍‌ ବନ୍ଦ ହେବା ପରେ ଏସବୁ ସ୍ଥାନରେ ପୁନର୍ବାର ସେବା ଆରମ୍ଭ କରିଦିଆଯାଇଥିଲା।

ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀମାନେ ବିଗତ ୭୦ ଦିନ ଧରି ଧାରଣା ଜାରି ରଖିଛନ୍ତି। ଯେପର୍ଯ୍ୟନ୍ତ ଆଇନ୍‌ ପ୍ରତ୍ୟାହାର କରାଯିବ ନାହିଁ ସେଯାଏ ଆନ୍ଦୋଳନ ଚାଲିବ ବୋଲି ଚାଷୀ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି। ଆନ୍ଦୋଳନକୁ ଅଧିକ ତୀବ୍ର କରିବା ସହିତ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ପାଇଁ ମିଳିତ କୃଷକ ମଞ୍ଚ ପକ୍ଷରୁ ଆଜି ଦେଶବ୍ୟାପୀ ଚକ୍କା ଜାମ୍‌ ଆନ୍ଦୋଳନ କରାଯାଇଥିଲା।

Comments are closed.