କାଙ୍ଗାଳ ହେବ ଚାଇନା

କମୁଛି ଚାଷ ଜମି, ଆଗକୁ ଘୋର ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ  :ସମ୍ପ୍ରତି ବିଶ୍ବରେ କରୋନା ମହାମାରୀକୁ ନେଇ ସମସ୍ତଙ୍କ ଆକ୍ରୋଶର ଶିକାର ହୋଇଥିବା ଏବଂ ଭାରତ ସହ କ୍ରମାଗତ ଭାବେ ସୀମା ବିବାଦ ଜାରି ରଖିଥିବା ଚୀନର ସ୍ଥିତି ଆଗକୁ ସଂଘାତିକ ହେବାକୁ ଯାଉଛି । କାରଣ ବୈଷୟିକ ​‌ଟେକ୍ନୋଲୋଜି ଏବଂ ଶିଳ୍ପାୟନ ଉପରେ ଖୁବ୍‌ ଜୋର ଦେଉଥିବା ଚୀନରେ ଭବିଷ୍ୟତରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବ । ପରିସ୍ଥିତି ଏଭଳି ହେବ ଯାହା ପାଇଁ ଚୀନକୁ କାଙ୍ଗାଳ ହେବାକୁ ପଡିବ । ଦେଶରେ କମିବାରେ ଲାଗିଥିବା ଚାଷ ଉପଯୋଗୀ ଜମି ଏବଂ ବୃହତ୍‌ ଜନସଂଖ୍ୟା ଏବେ ​‌ସେଠାରେ ବଡ ଚିନ୍ତାର ବିଷୟ ହୋଇଛି ।

ସହରୀକରଣ ଏବଂ ଶିଳ୍ପାୟନକୁ ଗୁରୁତ୍ବ ଦେଉଥିବ ଚୀନ ୧୯୪୯ ପରଠାରୁ ଏହାର ଚାଷପୋଯୋଗୀ ଜମିର ୨୦ ପ୍ରତିଶତ ହରାଇସାରିଛି। ସମ୍ପ୍ରତି ଚୀନ​‌ରେ ମାତ୍ର ୧୦ରୁ ୧୫ ପ୍ରତିଶତ ଜମି ରହିଛି ଯାହା କୃଷି ଅନୁକୂଳ । ଯଦି ଆମେ ଏ କ୍ଷେତ୍ରରେ ବିଶ୍ବର କେତେକ ରାଷ୍ଟ୍ରର ସ୍ଥିିତି ଦେଖିବା ତେବେ ସାଉଦିଆରବରେ ୧ ପ୍ରତିଶତ, ଭାରତରେ ୫୦ ପ୍ରତିଶତ, ଆମେରିକାରେ ୨୦ ପ୍ରତିଶତ ଏବଂ ଫ୍ରାନ୍ସରେ ୩୨ ପ୍ରତିଶତ ଜମି ଚାଷ ପାଇଁ ​‌ବେଶ ଉପଯୋଗୀ ରହିଛି । ତେଣୁ ଏ କ୍ଷେତ୍ରରେ ଭାରତ ଚାଇନାଠାରୁ ଢ଼େର ଭଲ ସ୍ଥିତିରେ ରହିଛି । ଚାଇନାରେ ୫୪୫,୯୬୦ ବର୍ଗ କି.ମି. ଜଳସେଚିତ ଜମି ରହିଛି । ତେବେ ସେଠାରେ ସମ୍ପ୍ରତି ୪୦ ପ୍ରତିଶତ ଜମି ଜଳସେଚିତ । ବିଶ୍ବର ସବୁଠାରୁ ଅଧିକ ସାର ବ୍ୟବହାର କରୁଥିବା ରାଷ୍ଟ୍ର ହୋଇଥିବାରୁ ଚାଇନାରେ ଏକର ପିଛା ଖାଦ୍ୟ ଶସ୍ୟ ଉତ୍ପାଦନ ସର୍ବାଧିକ ରହିଛି । ତେବେ ଚାଇନାରେ ଖାଦ୍ୟ ସାମଗ୍ରୀର ଯୋଗାଣ ଏବଂ ଚାହିଦା ମଧ୍ୟରେ ଏକ ବଡ ବ୍ୟବଧାନ ରହିଛି ।

ଚୀନ୍‌ରେ ଦେଖାଦେଇଥିବା ବଡ ବନ୍ୟା, ମରୁଡି, ଚାଷ ଉପଯୁକ୍ତ ଜମି ପରିମାଣରେ ହ୍ରାସ ଏବଂ ଉତ୍କଟ ଜଳାଭାବ ସହ କର୍ମ ଉପଯୋଗୀ ମାନବ ସମ୍ବଳରେ ହ୍ରାସ ଘଟିବା ଦେଶ ପାଇଁ ବଡ ଘଡିସନ୍ଧୀ ମୁହୂର୍ତ୍ତ କୁହାଯାଉଛି । ଫଳରେ ବର୍ତ୍ତମାନ ଦେଶର ୧.୪ ବିଲିୟନ୍‌ ବା ୧୪୦ ​କୋଟି ଲୋକଙ୍କୁ ଖାଇବାକୁ ଦେବା ଏବେ ଚାଇନା ସରକାରଙ୍କ ଆଗରେ ବଡ ଆହ୍ବାନ ପାଲଟିଛି । ଏକ ଆକଳନ ଅନୁଯାୟୀ, ୨୦୩୦ ବେଳକୁ ଯେତେବେଳେ ସେଠାରେ ଜନ ସଂଖ୍ୟା ୧୫୦ ​କୋଟି ଛୁଇଁବ ସେତେବେଳେ ପ୍ରତ୍ୟେକ ବର୍ଷ ଦେଶ ପାଇଁ ୧୦୦ ନିୟୁତ ଟନ୍‌ର ଖାଦ୍ୟ ସାମଗ୍ରୀ ଆବଶ୍ୟକ ପଡିବ । ଚଳିତବର୍ଷ ଦକ୍ଷିଣ ଚାଇନା ପ୍ରାନ୍ତରେ ପ୍ରଥମେ ମରୁଡି ଏବଂ ପରବର୍ତ୍ତୀ ସମୟରେ ପ୍ରଳୟଙ୍କରୀ ବନ୍ୟା ଦେଶରେ ଚାଉଳ, ଗହମ ଏବଂ ଅନ୍ୟ ଫସଲ ଉତ୍ପାଦନ ଘୋର ପ୍ରଭାବିତ ହୋଇଛି । ବନ୍ୟା ଯୋଗୁ ​‌ସେଠାରେ ୫୪.୮ ନିୟୁତ ଲୋକ ପ୍ରଭାବି ହୋଇଛନ୍ତି । ଏଥିଯୋଗୁ ସେଠାରେ ୨୦.୮ ବିଲିୟନ୍‌ ଡଲାର ଆର୍ଥିକ କ୍ଷତି ଘଟିଛି । ଏହାଛଡା କୀଟ ପ୍ରଭାବରେ ଚଳିତବର୍ଷ ଚାଇନାରେ ମକା ଚାଷ ପ୍ରଭାବିତ ହୋଇଛି । ସେଠାରେ ଏଥିର ମକା ଦର ବିଗତ ୫ ବର୍ଷରେ ସର୍ବାଧିକ ରହିଛି ।

Comments are closed.