ଇଡି ନଜରରେ ହଜାର ​‌​କ‌ୋଟିର ଚାଇନା ବେଟିଂ ଆପ୍‌ ରାକେଟ୍‌

ଫାଇଦା ହାସଲକାରୀଙ୍କୁ ଖୋଜା ଚାଲିଛି

ନୂଆଦିଲ୍ଲୀ: ହଜାର ​କୋଟି ଟଙ୍କାର ଚାଇନାଭିତ୍ତିକ ବେଟିଂ(ଜୁଆ) ଆପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ତନାଘନା ଜାରି ରହିଛି। ଏହି ଘଟଣାରେ କେଉଁ କେଉଁମାନେ ଫାଇଦା ହାସଲ କରିଛନ୍ତି ତାହା ଏବେ ଖୋଜା ଚାଲିଛି। ଭାରତ ସରକାର ନିଷିଦ୍ଧ କରିଥିବା ଚାଇନା ଆପ୍‌କୁ ବ୍ୟବହାର କରି ପେଟିଏମ୍‌ ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କ ଖାତା ଜରିଆରେ ବେଆଇନ ବେଟିଂ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଏବେ ଇଡି କଡା ନଜର ରଖିଛି। ଚଳିତମାସ ୧୫ରେ ଏହି ମାମଲାରେ ଇଡି ହାଇଦ୍ରାବାଦଠାରେ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆଇନ ଅନୁଯାୟୀ, ଜଣେ ଚାଇନା ନାଗରିକ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ମଙ୍ଗଳବାର ସେମାନଙ୍କୁ ଇଡି ୮ ଦିନ ପାଇଁ ହେପାଜତକୁ ନେଇଛି। ଚାଇନା ନାଗରିକ ୟାନ୍ ହୋ ଏବଂ ତାଙ୍କର ଦୁଇ ଭାରତୀୟ ସହଯୋଗୀ ଧୀରଜ ସରକାର ଏବଂ ଅଙ୍କିତ କାପୁରଙ୍କୁ ଇଡି ଗିରଫ କରିଥିଲା। ଏହି ମାମଲାରେ ତଦନ୍ତକାରୀ ଏଜେନ୍ସି କହିଛି ଯେ, ଆମେ ଏବେ କେଉଁମାନେ ଏହି ବେଟିଂ ଆପ୍‌ରୁ ପେଟିଏମ୍‌ ସହାୟତାରେ ଫାଇଦା ହାସଲ କରୁଥିଲେ ତାହାର ଅନୁସନ୍ଧାନ ଚଳାଇଛୁ। ତାହାର ଏବେ ତାଲିକା ପ୍ରସ୍ତୁତି ଚାଲିଛି। ଏହି ଘଟଣାରେ କମ୍ପାନୀର ନିର୍ଦେଶକଙ୍କୁ ସମନ୍‌ ଜାରି କରାଯିବ, ଏଥିରେ ଚାଇନା ନାଗରିକ ରହିଛନ୍ତି।

Comments are closed.