ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୬ ଛାତ୍ରଛାତ୍ରୀ

ଚୌଦ୍ୱାର :ଚୌଦ୍ୱାରରୁ ମଣ୍ଡାପଡ଼ା ଯାଇଥିବା ବିରୂପା ନଦୀକୂଳ ରାସ୍ତାରେ ଶନିବାର ସକାଳେ ଏକ ସ୍କୁଲ ବସ୍ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ବସଟି ରାସ୍ତା ତଳକୁ ଓଲଟି ପଡ଼ିଥିବାବେଳେ ସେଥିରେ ଥିବା ୬ଜଣ ଛାତ୍ରଛାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ପ୍ରକାଶ ଯେ ଚୌଦ୍ୱାର ନିକଟ ଇଡ଼କୋ ଶିଳ୍ପାଞ୍ଚଳ ନିକଟରେ ଥିବା ଉତ୍କଳ ଇଣ୍ଟରନ୍ୟାସନାଲ ସ୍କୁଲର ଓଆର ୦୫ ବିଇ ୭୫୯୧ନମ୍ବରଯୁକ୍ତ ବସଟି ଶନିବାର ସକାଳେ ଜଗତପୁର ଓ ଚୌଦ୍ୱାରରୁ ୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମଣ୍ଡାପଡ଼ା ଓ ହରିନାଥପୁରରୁ ଛାତ୍ରଛାତ୍ରୀ ଆଣିବାକୁ ଯାଉଥିଲା। ରାସ୍ତାର ପୋଟଳେଇ ମନ୍ଦିରର ଅନତି ଦୂରରେ ସମ୍ନାରୁ ଆସୁଥିବା ଦୁଇଜଣ ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ଡ୍ରାଇଭର ବସଟିକୁ ରାସ୍ତା କଡ଼କୁ କାଟି ଦେଇଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ନଦୀ ପଟ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ହେଲେ ବସ୍ ଭିତରେ ଥିବା ୬ଜଣ ଛାତ୍ରଛାତ୍ରୀ ଓ ଡ୍ରଇଭର ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ବସରେ ବସିଥିବା ଛାତ୍ରଛାତ୍ରୀ ଓ ଡ୍ରାଇଭର କେହି ଆହତ ହୋଇ ନଥିବା ଜଣା ପଡ଼ିଛି। ଖବର ପାଇ ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀମାନଙ୍କୁ ବସ୍ ଭିତରୁ ଉଦ୍ଧାର କରି ସେମାନଙ୍କ ଘରକୁ ପଠାଇ ଥିଲେ।

ସୂଚନାଯୋଗ୍ୟ ଯେ ମହାନଦୀ ଜଳସେଚନ ଉତ୍ତର ଡିଭିଜନ୍ ବିଭାଗ ଦାୟିତ୍ୱରେ ଥିବା ଏକ ଥାକିଆ ନଦୀକୂଳ ରାସ୍ତାଟି ଦୀଘଦିନ ହେବ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବାରୁ ପଥଚାରୀ ଓ ଗାଡ଼ି ମଟର ପାଇଁ ବିପଦ ସଂକୁଳ ହୋଇ ପଡ଼ିଛି। ରାସ୍ତାଟିକୁ ୨ଥାକିଆ କରିବା ଓ ମରାମତି କରିବା ପାଇଁ ଚୌଦ୍ୱାର ପୌର ପାଳିକା ତରଫରୁ ଜଳ ସେଚନ ବିଭାଗକୁ ବାରମ୍ବାର ଲିଖିତ ଅନୁରୋଧ କରାଯାଇଥିଲେ ହେଁ ରାସ୍ତାଟିକୁ ଏଯାବତ୍ ମରାମତି କରାଯାଉ ନଥିବାରୁ ଏହି ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ବିଭାଗୀୟ କତ୍ତୃପକ୍ଷ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣାରେ ଦାବି ହେଉଛି।

Comments are closed.