ଟାଟାକୁ ହସ୍ତାନ୍ତର ହେବ ସେସୁର ୫୧ ଶତକଡ଼ା ଅଂଶଧନ

ନୂଆ କମ୍ପାନୀ ନାମ ‘ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିଃ’

ଭୁବନେଶ୍ୱର : ଆଜିଠାରୁ ‘ସେସୁ’ ଟାଟା ପାୱାର କମ୍ପାନୀ ଅଧୀନକୁ ଯାଇଛି। ଏଥି ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। ଚୁକ୍ତି ଅନୁଯାୟୀ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର ହେବ ଏବଂ ଏହା ‘ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିଃ’ ନାମରେ ନାମିତ ହେବ। ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ ଅଫ୍‌ ଡାଇରେକଫର୍ସ ରହିବେ। ସେଥିରେ ଟାଟା ପାୱାର ୫ ଜଣ ଏବଂ ସରକାରଙ୍କ ତରଫରୁ ୪ ଜଣ ଡାଇରେକଫର ରହିବେ। ବୁଝାମଣା ଅନୁଯାୟୀ ବର୍ତ୍ତମାନ ଗ୍ରୀଡ୍‌କୋର ଅଧ୍ୟକ୍ଷ ସୌରଭ ଗର୍ଗ ଏହି ବୋର୍ଡର ଡାଇରେକ୍‌ଟର୍ସ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଚଳାଇବେ। ଏହାବ୍ୟତୀତ ଯେଉଁ କର୍ମଚାରୀମାନେ ସେସୁ ଅଧୀନରେ କାର୍ଯ୍ୟ କରୁଥିଲେ ସେମାନେ ପୂର୍ବବତ୍‌ ନୂତନ କମ୍ପାନୀରେ କାର୍ଯ୍ୟ କରିବେ। ତାଙ୍କର ଚାକିରି ସର୍ତ୍ତରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ହସ୍ତାନ୍ତର ପ୍ରକ୍ରିୟା ଯୋଗୁଁ ସେସୁର ୫ଟି ସର୍କଲ ଟାଟା ପାୱାର ଅଧୀନକୁ ଆସିଛି। ଏଥିରେ ଭୁବନେଶ୍ୱରର ୨ଟି ସର୍କଲ, ଢେଙ୍କାନାଳ, କଟକ ଓ ପାରାଦ୍ୱୀପର ଗୋଟିଏ ଲେଖାଏଁ ସର୍କଲ ରହିଛି। ଏହି ସର୍କଲଗୁଡ଼ିକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ଓ ନୟାଗଡ଼ ଜିଲା ମଧ୍ୟରେ ଅନ୍ତର୍ଗତ। ‘ସେସୁ’ ଟାଟା ପାୱାରକୁ ଯିବା ପରେ ପୂର୍ବରୁ କମ୍ପାନୀ ସମ୍ମୁଖୀନ ହେଉଥିବା ସମୁଦାୟ ବୈଷୟିକ ଓ ବାଣିଜି୍ୟକ କ୍ଷତିକୁ ରୋକାଯାଇ ପାରିବ। ବିଦ୍ୟୁତ ସେବାରେ ଉନ୍ନତି ଆଣିବା, ଉନ୍ନତ ମାନର ବିଦ୍ୟୁତ ବଣ୍ଟନ ଏବଂ ସୁବ୍ୟବସ୍ଥିତ ବିଦ୍ୟୁତ ଦେୟ ଆଦାୟ ହୋଇପାରିବ ବୋଲି ଆଶା କରାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଏହି ବିକ୍ରି ପ୍ରକ୍ରିୟା ଚାଲିଥିଲା ଏବଂ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ନୂଆ କମ୍ପାନୀରେ ପରିଣତ ହେବା ଧାର୍ଯ୍ୟ ହୋଇଥିଲା। ତେବେ କୋଭିଡ୍‌ ପାଇଁ ଏହି ବିଳମ୍ବ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Comments are closed.