ହରଡ଼ ଡାଲି ଆମଦାନୀ ସୀମା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହରଡ଼ ଡାଲିର ଆମଦାନୀ ସୀମା ପରିମାଣ ଘରୋଇ ବ୍ୟବସାୟୀମାନଙ୍କପାଇଁ ୪ ଲକ୍ଷ ଟନ୍‍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଇତି ମଧ୍ୟରେ ନାଫେଡ଼୍‍କୁ ୨ ଲକ୍ଷ ଟନ୍‍ ହରଡ ଡାଲି ବଜାରକୁ ଛାଡ଼ିବା ପାଇଁ କୁହାଯାଇଛି। ଖାଦ୍ୟ ମନ୍ତ୍ରୀ ରାମବିଳାସ ପାଶ୍‍ୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ପାଶ୍‍ୱାନ୍‍ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହା ଦ୍ୱାରା ହରଡ଼ ଡାଲିର ଉପଲବ୍ଧତା ବୃଦ୍ଧି ପାଇବ ଓ ଦର ହ୍ରାସ ପାଇବ। ବିଳମ୍ବରେ ବର୍ଷା ଯୋଗୁଁ ଅମଳ ଭଲ ହେବ ନାହିଁ ବୋଲି ଅନୁମାନ କରାଯାଇ ଏଭଳି ପଦକ୍ଷେପ ନିଆଯାଇ ଥିବା ପାଶ୍‍ୱାନ୍‍ କହିଛନ୍ତି। ହରଡ଼ ଡାଲିର ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା ଦୂର କରି ପାଶ୍‍ୱାନ୍‍ କହିଛନ୍ତି, ସରକାରଙ୍କ ପାଖରେ ବଳକା ଡାଲି ମହଜୁଦ୍‍ ରହିଛି। ସରକାରଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ୩୯ ଲକ୍ଷ ଟନ୍‍ ଡାଲି ଗଛିତ ରହିଛି ଓ ସେଥି ମଧ୍ୟରେ କେବଳ ହରଡ ଡାଲି ପରିମାଣ ହେଉଛି ସାଢ଼େ ସାତ ଲକ୍ଷ ଟନ୍‍। ଡାଲିର ଯେପରି କଳାବଜାରୀ ନ ହେବ ତାହା ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖାଯାଇଛି।

Comments are closed.