ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ପିଆଜ, ଡାଲି, ଖାଇବା ତେଲ ଓ ତୈଳବୀଜ ଆଦି ଉଚିତ ମୂଲ୍ୟରେ ଯୋଗାଇଦେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି। ଏହି ବ୍ୟବସାୟ ସହ ସଂପୃକ୍ତ ଥିବା ପାଇକାରୀ ବ୍ୟବସାୟୀ, ରପ୍ତାନୀ ଆମଦାନୀକାରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ନିୟମିତ ଭାବେ ବୈଠକ କରି ଏସବୁ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏ ନେଇ ନିକଟରେ ଏକ ଗୋଷ୍ଠୀ ଗଠନ କରାଯାଇଛି। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରହିଛନ୍ତି।

ଏହି ଗୋଷ୍ଠୀ ମହଜୁଦକାରୀ, କଳାବଜାରୀ ଓ ଅସାଧୁ କାରବାରରେ ଲିପ୍ତ ବ୍ୟବସାୟୀ ତଥା ଯୋଗାଣକାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍‍ଣ ନଜର ରଖିବ। କେନ୍ଦ୍ର ଯୋଗାଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ଡାଲି, ପିଆଜ, ଟମାଟୋ ଓ ତୈଳବୀଜର ମୂଲ୍ୟବୃଦ୍ଧି ଘଟଣାର ସମୀକ୍ଷା କରିଛି। ଯୋଗାଣ ବ୍ୟବସ୍ଥାକୁ ସୁସଂହତ କରିବା ସହ ଲୋକେ ଯେପରି ଉଚିତ ମୂଲ୍ୟରେ ଏହାକୁ ପାଆନ୍ତୁ ସେଥିପାଇଁ ନାଫେଡ଼, ଡିଜିଏଫ୍‍ଟି ଏବଂ ଅନ୍ୟାନ୍ୟ ସରକାରୀ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଖରିଫ୍‍ ପିଆଜ ବଜାରକୁ ଆସିବା ଆରମ୍ଭ କରିଛି। ଫଳରେ ପିଆଜ ମୂଲ୍ୟ ହ୍ରାସ ପାଇବ ବୋଲି ଯୋଗାଣକାରୀ ସଂସ୍ଥାର ପ୍ରତିନିଧିମାନେ କହିଛନ୍ତି।

Comments are closed.