ସିଏଏକୁ ବିରୋଧ ଦେଖି କେନ୍ଦ୍ରର ବିକଳ୍ପ ଯୋଜନା, ଅନ୍ଲାଇନରେ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନକୁ ବିରୋଧ ଜାରି ରହିଥିବାବେଳେ ଏବଂ ଡଜନେରୁ ଅଧିକ ରାଜ୍ୟ ସରକାର ଏହାକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିବା ପରେ କେନ୍ଦ୍ର ସରକାର ଏହାର କାର୍ଯ୍ୟକାରିତା ପାଇଁ ବିକଳ୍ପ ଉପାୟ ସ୍ଥିର କରିଛନ୍ତି। ରାଜ୍ୟମାନଙ୍କୁ ଅତିକ୍ରମ କରି ଏହାକୁ ସିଧାସଳଖ କାର୍ଯ୍ୟକାରିତା ପାଇଁ ସରକାର ଅନ୍ଲାଇନ ବ୍ୟବସ୍ଥା କରୁଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନାଗରିକତ୍ବ ପାଇଁ ଆବେଦନପତ୍ର ସିଧାସଳଖ ଜିଲାପାଳମାନଙ୍କ ମାଧ୍ୟମରେ ଆସିବ ଓ ଏହା ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ରେ କରାଯିବ। ଅନ୍ଲାଇନ୍ରେ ନାଗରିକତ୍ବ ପ୍ରଦାନ ବ୍ୟବସ୍ଥା ଦ୍ବାରା ରାଜ୍ୟମାେନ ହସ୍ତକ୍ଷେପ କରିପାରିବେ ନାହିଁ ଏବଂ ଯେଉଁଠି ବି ସମସ୍ୟା ସୃଷ୍ଟି କରିବେ ତାହାକୁ ଏଡ଼ାଇ ହେବ ବୋଲି କେନ୍ଦ୍ର ସରକାର ଭାବିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏ ସମ୍ପର୍କରେ ଦଳୀୟସ୍ତରରେ ବିଚାରବିମର୍ଶ ପାଇଁ ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବୈଠକ ଆହ୍ବାନ କରିଛନ୍ତି। କେରଳ ବିଧାନସଭାରେ ଏହି ଆଇନର ପ୍ରତ୍ୟାହାର ଦାବିରେ ସଂକଳ୍ପ ଗୃହୀତ ହେବା ପରିପ୍ରେକ୍ଷୀରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ କୌଣସି ରାଜ୍ୟର ସେଭଳି କ୍ଷମତା ନାହିଁ। ଏଭଳି ଉପାୟରେ ମଧ୍ୟ କୌଣସି ରାଜ୍ୟ ଆଇନକୁ ଏଡ଼ାଇପାରିବେ ନାହିଁ ବା ସେଥିରୁ ଖସିଯାଇପାରିବେ ନାହିଁ।