ପିଆଜ ମହଜୁଦ ସୀମା ନିର୍ଦ୍ଧାରଣ ହୋଇପାରେ – ପାଶୱାନ୍‍

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶୱାନ୍‍ କହିଛନ୍ତି, ଦରକାର ପଡିଲେ ସରକାର ପିଆଜ ବ୍ୟବସାୟୀଙ୍କ ଉପରେ ମହଜୁଦ ସୀମା ନିର୍ଦ୍ଧାରଣ କରିବେ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ପାଶୱାନ୍‍ କହିଛନ୍ତି, ପିଆଜର ମୂଲ୍ୟବୃଦ୍ଧି ଏକ ସାମୟିକ ସମସ୍ୟା ଏବଂ ସରକାର ଏହି ସ୍ଥିତିର ଗଭୀର ଭାବେ ଅନୁଧ୍ୟାନ କରୁଛନ୍ତି। ଯଦି ପିଆଜର ଖୁଚୁରା ମୂଲ୍ୟ କମ ନ ହୁଏ, ସେ କ୍ଷେତ୍ରରେ କଠୋର ପଦକ୍ଷେପ ନିଆଯିବ। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବା ଦ୍ୱାରା ପିଆଜର ଉପଲବ୍ଧତା ଅସ୍ଥାୟୀ ଭାବେ ହ୍ରାସ ପାଇଥିବା ପାଶୱାନ୍‍ କହିଛନ୍ତି। ଏବେ ୫୦ହଜାର ଟନ୍‍ର ବଳକା ପିଆଜ ଦେଶରେ ମହଜୁଦ୍‍ ଅଛି। ଏଥି ମଧ୍ୟରୁ ୧୫ହଜାର ଟନ୍‍ ପିଆଜ ଆବଣ୍ଟିତ ହୋଇସାରିଛି। ସେ କହିଛନ୍ତି, ଯଦି ଆବଶ୍ୟକ ପଡ଼େ ରାଜ୍ୟ ସରକାରଗୁଡ଼ିକ ଅବଶିଷ୍ଟ ୩୫ହଜାର ଟନ୍‍ ପିଆଜ ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇ ପାରନ୍ତି।

ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟରେ ପିଆଜ କିଲୋ ପ୍ରତି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନାଫେଡ଼ ଏବଂ ଏନସିସିଏଫ ପିଆଜ କିଲୋ ପ୍ରତି ୨୨ରୁ ୨୩ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି।

Comments are closed.