ମହିଳା ହିଂସା ଓ ମହିଳା ବିରୋଧୀ ଅପରାଧ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ; ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଦେଶରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନେଉ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଯେଉଁ ଚିଠିରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ବେଳେ କୌଣସି ତ୍ରୁଟି ଘଟିଲେ ଏହାର ତଦନ୍ତ ଆବଶ୍ୟକ ବୋଲି ମନ୍ତ୍ରଣାଳୟ ସୂଚାଇଥିବା ବେଳେ ଦାୟୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ଦିନ ମଧ୍ୟରେ ଦେଶରେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ବୃଦ୍ଧି ଘଟିଛି । ଉତ୍ତରପ୍ରଦେଶର ହାଥରସ ମାମଲା ପରେ ଉତ୍ତରପ୍ରଦେଶ ପୁଲିସର ଉଦାସିନତାକୁ ନେଇ ସବୁଆଡେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହାଥରସ ମାମଲାରେ ପୋଲିସ ପ୍ରାରମ୍ଭିକ ତଦନ୍ତ ଓ ପଦକ୍ଷେପ ନେବାରେ ଯେଉଁଭଳି ହେଳା ଦେଖାଇଥିଲା ତାକୁ ନେଇ ଉତ୍ତର ପ୍ରଦେଶ ସରକାରକୁ ମଧ୍ୟ ଚାରି ଆଡୁ ସମାଲୋଚିତ ହେବାକୁ ପଡିଥିଲା । ଦେଶ​‌ରେ ଘଟୁଥିବା ଅଧିକାଂଶ ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ଥାନାର ଅଭିଯୋଗ ଟିଏ ଦେବାପାଇଁ ବହୁ ହଇରାଣ ହରକତ ହେବାକୁ ପଡିଥିାଏ । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି ଯେ, ଏତଲା ରଖିବାରେ ପୁଲିସ ବାହନାବାଜି ନକରୁ । ଏତଲା ଦାଏର କରିବା ଅନିବାର୍ଯ୍ୟ । ମନ୍ତ୍ରଣାଳୟ ତରଫରୁ ଆଇପିସି ଓ ସିଆରପିସିର ପ୍ରାବଧାନର ଉଲ୍ଲେଖ କରି କୁହାଯାଇଛି ଯେ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏହାର ପାଳନକୁ ସୁନିଶ୍ଚିତ କରନ୍ତୁ । ଦାୟିତ୍ୱହୀନ ଅଫିସରଙ୍କ ବିରୋଧରେ କଠୋର କାର୍ୟ୍ୟନୁଷ୍ଠାନ ଲାଗି ଏଥିରେ ସୁପାରିସ କରାଯାଇଛି ।

ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛନ୍ତି ଯେ, ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଡ ଦ୍ବାରା ଜାରି ମହିଳାଙ୍କ ଉପରେ ହୋଇଥିବା ଦୁଷ୍କର୍ମ ଘଟଣାର ତଦନ୍ତ ତଥା ଦୋଷୀ ସାବ୍ୟସ୍ତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର (ଏସଓପି) ପାଳନ କରାଯିବା ଆବଶ୍ୟକ।ସେହିପରି ଭାରତ ସରକାର ମଧ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବିଭିନ୍ନ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ମହିଳାମାନଙ୍କ ପ୍ରତି ଅପରାଧ ମାମଲାରେ ପୋଲିସ ଦ୍ବାରା କରାଯାଉଥିବା ତଦନ୍ତର ଉପରେ ଗୁରୁତ୍ବାରୋପ କରାଯାଇଛି । ଯେଉଁଥିରେ ଯୌନ ନିର୍ୟାତନା ଏବଂ ମାମଲାରେ ଏଫଆଇଆର ରେଜିଷ୍ଟ୍ରେସନ ସାମିଲ କରାଯାଇଛି ।ମନ୍ତ୍ରଣାଳୟ ଆହୁରୀ ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ଏଫଆଇଆର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଣୁ ମନ୍ତ୍ରଣାଳୟ ଆଇନରେ ଥିବା ନିୟମାବଳୀକୁ କଡାକଡି ପାଳନ କରିବାକୁ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରିଛି ।

Comments are closed.