ମେ’ ପହିଲାରୁ ନୂତନ ଟିକାକରଣ : ପ୍ରଭାବୀ କାର୍ଯ୍ୟକାରିତା ଲାଗି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା

ଡାକ୍ତରଖାନା ଭିତ୍ତିଭୂମି ତୁରନ୍ତ ବଢ଼ାଇବା ଲାଗି ବିସ୍ତୃତ କାର୍ଯ୍ୟଯୋଜନା

 

ନୂଆଦିଲ୍ଲୀ : ମେ’ ପହିଲାରୁ ଦେଶରେ ନୂତନ ଟିକାକରଣ ରଣନୀତି (ତୃତୀୟ ପର୍ୟ୍ୟାୟ)ର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ମାର୍ଗଦର୍ଶନ କରିବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଜାରି କରିଛନ୍ତି। କୋଭିଡ ରୋଗୀଙ୍କ ଲାଗି ସେମାନଙ୍କର ବର୍ତ୍ତମାନର ଡାକ୍ତରଖାନା ଓ କ୍ଲିନିକାଲ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବା ଯୋଜନାର ସମୀକ୍ଷା କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ କୋଭିଡ-୧୯ ମୁକାବିଲା ପାଇଁ ପ୍ରଯୁକ୍ତି ଓ ଡାଟା ପରିଚାଳନା ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧ୍ୟକ୍ଷ ଡ. ଆର.ଏସ ଶର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଡ. ଆର ଏସ ଶର୍ମା କହିଛନ୍ତି ଯେ କୋଓ୍ବିନ ପ୍ଲାଟଫର୍ମକୁ ଏବେ ମଜବୁତ କରାଯାଇପାରିଛି ଏବଂ ଏହା ଅଧିକମାତ୍ରାରେ ବାଧାମୁକ୍ତ ଭାବେ କାର୍ଯ୍ୟ କରିପାରିବ। ଏହା ମେ ପହିଲାରୁ ଆରମ୍ଭ ହେଉଥିବା ନୂତନ ଟିକାକରଣ ପର୍ୟ୍ୟାୟର ଜଟିଳତାକୁ ମୁକାବିଲା କରିବା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ସଠିକ ଏବଂ ସମୟୋପଯୋଗୀ ଡାଟା ଅପଲୋଡ୍ କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ତ୍ରୁଟିପୂର୍ଣ୍ଣ ଡାଟା ସମ୍ପୂର୍ଣ୍ଣ ପ୍ରକ୍ରିୟାର ବିଶ୍ବସନୀୟତା ପ୍ରତି ଆଞ୍ଚ ଆଣିବ ବୋଲି ସେ କହିଥିଲେ।
ମେ’ ପହିଲାରୁ ଆରମ୍ଭ ହେଉଥିବା ତୃତୀୟ ପର୍ୟ୍ୟାୟ ଟିକାକରଣ ନିମନ୍ତେ ରାଜ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ କେତେକ ପରାମର୍ଶ ଦିଆଯାଇଛି :
• ଘରୋଇ ଡାକ୍ତରଖାନା, ଶିଳ୍ପ ପ୍ରତିଷ୍ଠାନ, ଶିଳ୍ପ ସଂଘଗୁଡ଼ିକର ଡାକ୍ତରଖାନା ଆଦି ଦ୍ବାରା ମିଶନ ମୋଡରେ ଅତିରିକ୍ତ ଘରୋଇ କୋଭିଡ ଟିକାକରଣ କେନ୍ଦ୍ର (ସିଭିସି) ପାଇଁ ପଞ୍ଜୀକରଣ କରିବା, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ସ୍ଥାପନ କରିବା, ଆବେଦନ/ଅନୁରୋଧ ପାଇଁ ବ୍ୟବସ୍ଥା ଏବଂ ସେଗୁଡ଼ିକର ପ୍ରକ୍ରିୟାକରଣ, ପଡ଼ିରହିଥିବା ପଞ୍ଜୀକରଣର ଅନୁଧ୍ୟାନ ଆଦି ନିମନ୍ତେ ପରାମର୍ଶ ଦିଆଯାଇଛି।
• ଟିକା କ୍ରୟ କରିଥିବା ଡାକ୍ତରଖାନାଗୁଡ଼ିକର ସଂଖ୍ୟା ଏବଂ କୋଓ୍ବିନ ପ୍ଲାଟଫର୍ମରେ ସେମାନେ ଘୋଷଣା କରିଥିବା ଷ୍ଟକ ଓ ଦର ଅନୁଧ୍ୟାନ ।
• ପର୍ୟ୍ୟାୟକ୍ରମେ ଯୋଗ୍ୟ ଜନସାଧାରଣଙ୍କ ଟିକାକରଣ ନିମନ୍ତେ କୋଓ୍ବିନ୍ ସ୍ଲଟରେ ଯଥେଷ୍ଟ ଟିକାକରଣ ସ୍ଥାନ ପ୍ରଦର୍ଶିତ କରାଯିବ।
• ସିଧାସଳଖ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ବାରା ଟିକା କ୍ରୟ ନିମନ୍ତେ ପ୍ରାଥମିକତା ଭିତ୍ତିରେ ନିର୍ଣ୍ଣୟ।
• ୧୮-୪୫ ବର୍ଷ ବୟସ ବର୍ଗଙ୍କ ପାଇଁ ‘କେବଳ ଅନଲାଇନ ପଞ୍ଜୀକରଣ’ ସୁବିଧାର ପ୍ରଚାର କରାଯିବ।
• ଟିକାକରଣ, ଏଇଏଫଆଇ ରିପୋର୍ଟିଂ ଓ ପରିଚାଳନା ପାଇଁ ସିଭିସି କର୍ମଚାରୀମାନଙ୍କୁ ତାଲିମ, କୋଓ୍ବିନର ବ୍ୟବହାର- ତାଲିମର କାର୍ଯ୍ୟସୂଚୀ ଏବଂ ଟିକା ଷ୍ଟକ ସମ୍ବନ୍ଧୀୟ ସମାଧାନ ଘରୋଇ ସିଭିସିଗୁଡ଼ିକୁ ଦିଆଯାଇସାରିଛି।
• ସିଭିସିଗୁଡ଼ିକରେ ପ୍ରଭାବୀ ଭିଡ଼ ପରିଚାଳନା ପାଇଁ ଆଇନଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ସହିତ ସମନ୍ବୟ ସ୍ଥାପନ।

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ ପ୍ରଭାବୀ କ୍ଲିନିକାଲ ଚିକିତ୍ସା ଲାଗି ମୌଳିକ ଭିତ୍ତିଭୂମି ବଢ଼ାଇବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଆବଶ୍ୟକ ପରାମର୍ଶ ଦିଆଯାଇଛି। ସେମାନେ ଦୈନିକ ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା, କୋଭିଡ କାରଣରୁ ଦୈନିକ ମୃତ୍ୟୁ ଓ ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି, ଏହି ତିନୋଟି ଦିଗ ଆଧାରରେ ନିଜର ଡାକ୍ତରଖାନା ଓ କୋଭିଡ ଚିକିତ୍ସା ସମ୍ବନ୍ଧୀୟ ବର୍ତ୍ତମାନର ମୌଳିକ ଭିତ୍ତିଭୂମିର ସମୀକ୍ଷା କରିବେ।
ମୌଳିକ ସୁବିଧା ବୃଦ୍ଧି କରିବା ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଏବଂ ସେଗୁଡ଼ିକୁ କାର୍ୟ୍ୟକାରୀ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିମ୍ନଲିଖିତ ପରାମର୍ଶ ଦିଆଯାଇଛି:
• ଅତିରିକ୍ତ ସମର୍ପିତ କୋଭିଡ-୧୯ ଡାକ୍ତରଖାନା ଚିହ୍ନଟ କରିବା ଏବଂ ଡିଆରଡିଓ, ସିଏସଆଇଆର, କିମ୍ବା ସରକାରୀ ଏବଂ ଘରୋଇ କ୍ଷେତ୍ରର ଏଜେନ୍ସିଗୁଡ଼ିକ ସହାୟତାରେ ଫିଲ୍ଡ ହସପିଟାଲ ସୁବିଧା ପ୍ରସ୍ତୁତ କରିବେ।
• ଅକ୍ସିଜେନ ଶଯ୍ୟା, ଆଇସିୟୁ ଶଯ୍ୟା ଓ ଅକ୍ସିଜେନ ଯୋଗାଣର ଯଥେଷ୍ଟ ମାତ୍ରା ସୁନିଶ୍ଚିତ କରିବା। ଶଯ୍ୟା ଆବଣ୍ଟନ ଲାଗି କେନ୍ଦ୍ରିକୃତ କଲ ସେଣ୍ଟର ଆଧାରିତ ସେବା ଆରମ୍ଭ କରିବେ।
• ଉଚିତ ପ୍ରଶିକ୍ଷଣ ପାଇଥିବା ଯଥେଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରିବା ଏବଂ ରୋଗୀଙ୍କ ପରିଚାଳନା ତଥା ଆମ୍ବୁଲାନ୍ସ ସେବାକୁ ସଶକ୍ତ କରିବା ଲାଗି ଡାକ୍ତର ଓ ନର୍ସମାନଙ୍କୁ ପରାମର୍ଶ ଦେବେ।
• ଅତିରିକ୍ତ ଆମ୍ବୁଲାନ୍ସ ନିୟୋଜିତ କରିବା ମାଧ୍ୟମରେ ଯେଉଁ ଜିଲ୍ଲାରେ ମୌଳିକ ଭିତ୍ତିଭୂମିର ଅଭାବ ରହିଛି, ସେଠାରେ ରୋଗୀଙ୍କୁ ରେଫର କରି ଅନ୍ୟ ଜିଲ୍ଲାରେ ସହଜରେ ପହଞ୍ଚାଇବେ।
• ଶଯ୍ୟା ଆବଣ୍ଟନ ଲାଗି କେନ୍ଦ୍ରିକୃତ କଲ ସେଣ୍ଟର ଆଧାରିତ ସେବା ଆରମ୍ଭ କରିବେ।

ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିମ୍ନଲିଖିତ ପରାମର୍ଶ ମଧ୍ୟ ଦିଆଯାଇଛି :
• ଉପଲବ୍ଧ ଶଯ୍ୟା ସଂଖ୍ୟା ସମ୍ପର୍କରେ ରିଅଲଟାଇମ ରେକର୍ଡ ପ୍ରସ୍ତୁତ କରିବା ଏବଂ ସାଧାରଣ ଲୋକଙ୍କୁ ସୁବିଧା ଶଯ୍ୟା ଯୋଗାଇ ଦେବା।
• କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଟେକଓଭର କରିବା ଲାଗି ମାର୍ଗଦର୍ଶିକା ପ୍ରସ୍ତୁତ କରିବ ସମ୍ପୃକ୍ତ ସରକାରୀ ସଂସ୍ଥାକୁ ଏପରି କରିବା ଲାଗି ସକ୍ଷମ କରିବା।
• ଲକ୍ଷଣ ନଥିବା ଏବଂ ଅଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ପୃଥକ ବାସରେ ରଖିବା ନିମନ୍ତେ ସମର୍ପିତ କୋଭିଡ-୧୯ ଯତ୍ନ ସୁବିଧା ବୃଦ୍ଧି କରିବା, ଯାହାଫଳରେ ଯେଉଁ ରୋଗୀ ଘରେ ନିଜକୁ ସଙ୍ଗରୋଧରେ ରଖିପାରିବେ ନାହିଁ କିମ୍ବା ଯେଉଁମାନେ ସଂସ୍ଥାଗତ ପୃଥକ ବାସ ଚାହୁଁଛନ୍ତି ସେମାନଙ୍କୁ ନିର୍ଦ୍ଧାରିତ ସ୍ଥାନରେ ଉଚିତ ସ୍ବାସ୍ଥ୍ୟ ଯତ୍ନ ମିଳିପାରିବ।
• ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ଟେଲିଫୋନ ମାଧ୍ୟମରେ ଔଷଧ ଉପଲବ୍ଧ କରାଇବାର ବ୍ୟବସ୍ଥା (ଟେଲି ମେଡ଼ିସିନ) ପ୍ରଦାନ କରିବାର ବ୍ୟବସ୍ଥା।
• ପ୍ରଶିକ୍ଷିତ ଡାକ୍ତରମାନଙ୍କ ନିରୀକ୍ଷଣରେ ଅକ୍ସିଜେନ, ଭେଣ୍ଟିଲେଟର ଓ ଆଇସିୟୁର ପର୍ୟ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା, ଏଥିସହିତ ଷ୍ଟେରଏଡ ଏବଂ ଅନ୍ୟ ଜରୁରୀ ଔଷଧର ଉପଲବ୍ଧତା ଏବଂ ସେଗୁଡ଼ିକୁ ପ୍ରାପ୍ତ କରିବା ମଧ୍ୟ ସୁନିଶ୍ଚିତ କରିବା।
• ବଡ଼ ଡାକ୍ତରଖାନା ପରିସରରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବା ଦିଗରେ କାର୍ୟ୍ୟ କରିବେ।
• କୋଭିଡ-୧୯ ମୁକାବିଲାରେ ଦାୟିତ୍ବ ନିର୍ବାହ କରୁଥିବା ଆଶା କର୍ମୀ ଓ ଅନ୍ୟ ଅଗ୍ରଣୀ କର୍ମଚାରୀମାନଙ୍କୁ ଉଚିତ୍ ଓ ନିୟମିତ ପାରିଶ୍ରମିକ ପ୍ରଦାନ କରିବେ।
କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଡାକ୍ତରଖାନା ଭିତ୍ତିଭୂମି ସୁବିଧା ବଢ଼ାଇବା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ଉଲ୍ଲେଖ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭାଗ/ପିଏସୟୁ ଗୁଡ଼ିକର ନିୟନ୍ତ୍ରଣରେ ଥିବା ଡାକ୍ତରଖାନାଗୁଡ଼ିକୁ ସ୍ବତନ୍ତ୍ର ସମର୍ପିତ କୋଭିଡ ହସ୍ପିଟାଲ କିମ୍ବା ହସ୍ପିଟାଲ ଭିତରେ ପୃଥକ ବ୍ଲକ ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଡିଆରଡିଓ ଓ ସିଏଆଇଆର-ସିବିଆରଆଇ ସହିତ ସହଭାଗିତାରେ ଆଇସିୟୁ ବେଡ ସହିତ ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ଓ ଭ୍ରାମ୍ୟମାଣ ଡାକ୍ତରଖାନା ପ୍ରତିଷ୍ଠା କରିବା ଲାଗି ମଧ୍ୟ ଯୋଜନା ରହିଛି। ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ଓ ଭ୍ରାମ୍ୟମାଣ ଡାକ୍ତରଖାନା ପ୍ରତିଷ୍ଠା କରିବା ଲାଗି କର୍ପୋରେଟ ସଂସ୍ଥା/ପିଏସୟୁ/ସରକାରୀ ବିଭାଗଗୁଡ଼ିକ ସହିତ ସମନ୍ବୟ ସ୍ଥାପନ କରି ସେମାନଙ୍କର ସିଏସଆର ପାଣ୍ଠି ବିନିଯୋଗ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ସହଯୋଗରେ ୧୮ଟି ସ୍ଥାନରେ ଥିବା ଏହାର ଆଞ୍ଚଳିକ କାର୍ୟ୍ୟାଳୟ ଜରିଆରେ କୋଭିଡ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବାକୁ ପରାମର୍ଶ ଦିଆଯାଇଛି। ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ରେଳବାଇ କୋଚ ଉପଯୋଗ କରି ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ରେଳବାଇର ୧୬ଟି ଜୋନରେ ଉପଲବ୍ଧ ୩୮୧୬ଟି କୋଚର ବିବରଣୀ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଛି।

Comments are closed.