ପିଆଜ ଦରବୃଦ୍ଧି ସମସ୍ୟା : ରପ୍ତାନୀ ଉପରେ କଟକଣା ଜାରି

ନୂଆଦିଲ୍ଲୀ : ଦେଶରେ ଅହେତୁକ ଭାବେ ପିଆଜ ଦର ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପିଆଜ ରପ୍ତାନୀ ଉପରେ ରବିବାର କଟକଣା ଜାରି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସେହିଭଳି ବାଣିଜ୍ୟ ମନ୍ତ୍ରଣାଳୟ ବିଦେଶକୁ ପିଆଜ ରପ୍ତାନୀ ନେଇ ଥିବା ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି।

ପୂର୍ବରୁ କେନ୍ଦ୍ର ସରକାର ଯୁଗ୍ମ ସଚିବ ସ୍ତରର ଅଧିକାରୀଙ୍କର ଦୁଇଟି ଦଳକୁ ମହାରାଷ୍ଟ୍ରକୁ ପଠାଇ ପିଆଜ ଚାଷୀ, ବ୍ୟବସାୟୀ ଏବଂ ପରିବହନକାରୀଙ୍କ ସହ ଆଲୋଚନା କରି ବଜାରରେ ପିଆଜ ଉପଲବ୍ଧ କରାଇବାକୁ ବୁଝାଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ସମଗ୍ର ଦେଶରେ ପିଆଜ ଦର ବୃଦ୍ଧି ପାଉଥିବାବେଳେ କେତେକ ସ୍ଥାନରେ ଖାଉଟୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏପରିକି ଅଧିକ ପିଆଜ ଉତ୍ପାଦନ ହେଉଥିବା ମହାରାଷ୍ଟ୍ରରେ ମଧ୍ୟ ପିଆଜ ଦର ଅଣାୟତ୍ତ ହୋଇ ପଡିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗଚ୍ଛିତ ଥିବା ପିଆଜ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଛି। କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶ୍ବାନ କହିଛନ୍ତି, ଯେଉଁ ରାଜ୍ୟମାନେ କେନ୍ଦ୍ର ନିକଟରୁ ପିଆଜ ନେବାକୁ ଚାହିଁବେ ସେମାନଙ୍କୁ ତାହା ଯୋଗାଇ ଦିଆଯିବ। ସେହିପରି ରାଜ୍ୟଗୁଡିକର ଯେତେ ପରିମାଣର ପିଆଜର ଚାହିଦା ରହିିଛି ତାହା ଖୁବ ଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀ ପାଶ୍ବାନ କହିଛନ୍ତି।

Comments are closed.