ଓଡ଼ିଶା ସମେତ ୬ ରାଜ୍ୟରେ ମରୁଡ଼ି, କେନ୍ଦ୍ର ସରକାର କରୁଛନ୍ତି କ୍ଷତି ଆକଳନ

0

ନୂଆଦିଲ୍ଲୀ : ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଚଳିତ ବର୍ଷର ଖରିପ ଋତୁରେ ମରୁଡ଼ିର କ୍ଷତି ଆକଳନ କରିବା ପାଇଁ କେନ୍ଦ୍ର ସରକାର କେତେକ ଦଳ ଗଠନ କରିଛନ୍ତି। ଏହି ଦଳଗୁଡ଼ିକୁ କ୍ଷୟକ୍ଷତି ଆକଳନ ପାଇଁ ଉପରୋକ୍ତ ରାଜ୍ୟଗୁଡ଼ିକୁ ପଠାଯାଇଥିବା କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ଏହି ୬ ରାଜ୍ୟ ଏବଂ କର୍ଣ୍ଣାଟକ ସରକାର ୨୦୧୮ର ଖରିପ (ଗ୍ରୀଷ୍ମ) ଋତୁରେ ମରୁଡ଼ି ଘୋଷଣା କରିଛନ୍ତି। ଓଡ଼ିଶାକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡ଼ିକ କେନ୍ଦ୍ର ନିକଟରେ ସହାୟତା ଦାବି କରିଛନ୍ତି ଓ ଏଥିପାଇଁ ସ୍ମାରକପତ୍ର ପ୍ରସ୍ତୁତ କରିଛନ୍ତି।
କୃଷି ମନ୍ତ୍ରାଳୟ ଅଧିକାରୀ ଜଣକ କହିଛନ୍ତି ଯେ ୬ ରାଜ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଦଳ (ଆଇଏମ୍‍ସିଟି) ଗଠନ କରାଯାଇଛି। ଗୋଟିଏ ଦଳ କର୍ଣ୍ଣାଟକର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦାଖଲ କରିଛନ୍ତି। ଅନ୍ୟ ଦଳଗୁଡ଼ିକ ଏପର୍ଯ୍ୟନ୍ତ ରିପୋର୍ଟ ଦାଖଲ କରିନାହାନ୍ତି। ରିପୋର୍ଟ ପ୍ରଥମେ କୃଷି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉପକମିଟିରେ ଯାଞ୍ଚ ହେବ। ଏହାପରେ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠିରୁ ସହାୟତା ଦେବା ପାଇଁ ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ସମିତିକୁ ସୁପାରିଶ କରାଯିବ।
ଖରିଫ ଋତୁରେ କର୍ଣ୍ଣାଟକର ୧୦୦ ତହସିଲରୁ ୭୨ଟି ତହସିଲ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ସେପ୍ଟେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଛି। କର୍ଣ୍ଣାଟକ ମରୁଡ଼ି ପାଇଁ ୨,୪୩୪ କୋଟି ଟଙ୍କାର ସହାୟତା ମାଗିଛି।

Leave A Reply