ଫେରିଗଲେ କେନ୍ଦ୍ରୀୟ ପ୍ରତିନିଧି ଦଳ :

ଭୁବନେଶ୍ୱର : ରାଜ୍ୟରେ କରୋନା ପରିଚାଳନା ନେଇ ଡା. ଶିବାନୀ ଦତ୍ତଙ୍କ ନେତୃତ୍ବରେ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ରାଜ୍ୟରେ କୋଭିଡ ପରିଚାଳନା, ଟିକାକରଣ, ଆବଦ୍ଧାଞ୍ଚଳ, ଶଯ୍ୟା ସ୍ଥିତି ଓ ମୃତ୍ୟୁ ହାର ନେଇ ଯାହା ଅନୁଧ୍ୟାନ କରିଛନ୍ତି ତାହା ଉପରେ କିଛି ରିପୋର୍ଟ ପ୍ରଦାନ କରିନାହାନ୍ତି। ପ୍ରତିନିଧି ଦଳ ରବିବାର ଫେରିବାର ଥିବାବେଳେ ସେମାନେ ଶନିବାର ଅପରାହ୍ଣରେ ଫେରି ଯାଇଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ହେଉଛି ରାଜ୍ୟର। ଯଦି କେନ୍ଦ୍ରୀୟ ପ୍ରତିନିଧି ଦଳ କିଛି ପରାମର୍ଶ ଦେବାର ଥିବ ତେବେ ସେ ଦେବେ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି। ଶ୍ରୀ ମିଶ୍ରଙ୍କ କହିବା କଥା ହେଲା ରାଜ୍ୟରେ ଏବେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସୁଛି। ମାତ୍ର ୫ଟି ଜିଲାକୁ ଛାଡି ଦେଲେ ଅନ୍ୟ ସବୁ ଜିଲାରେ ସଂକ୍ରମଣ ହାର ୨ରୁ ୩ ପ୍ରତିଶତ ମଧ୍ୟରେ ରହିଛି। ଇତିମଧ୍ୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ପୁରୀ, ଜଗତସିଂହପୁର, କଟକ ପ୍ରଭୃତି ଜିଲା ଗସ୍ତ କରି କୋଭିଡ ପରିଚାଳନା, ଆବଦ୍ଧାଞ୍ଚଳ ଓ ଟିକାକରଣ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି। ଗସ୍ତ ଅବସରରେ ଡା. ଦତ୍ତ ଦୈନିକ ନମୁନା ପରୀକ୍ଷା ବଢ଼ାଇବା ସହିତ ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ସର୍ଭେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏହାବାଦ୍ ଯେଉଁ ଜିଲାରେ ଗୁରୁତର ରୋଗୀ ଅଧିକ ରହିଛନ୍ତି ସେଠାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ଡା. ଦତ୍ତ କହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ତୃତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବା ସହିତ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ସେ ପରାମର୍ଶ ଦେଇଥିବା ଜଣାଯାଇଛି।

Comments are closed.