କୋଭିଡ୍ ସଂକ୍ରମଣ ବୃଦ୍ଧି ; ଓଡ଼ିଶା ସମେତ ୭ ରାଜ୍ୟକୁ କେନ୍ଦ୍ରର ଚିଠି

ଭୁବନେଶ୍ୱର :  ଦୈନିକ କୋଭିଡ୍-୧୯ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶା ସମେତ ୭ଟି ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କ ନିକଟକୁ ପତ୍ର ଲେଖି ଏହାକୁ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ଓଡିଶା ବ୍ୟତୀତ  ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲଙ୍ଗାନା ଆଦି ୬ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପତ୍ର ଲେଖା ଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପତ୍ରରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଲେଖିଛନ୍ତି, ଅଗଷ୍ଟ ୫ ତାରିଖ ଦିନ ସର୍ବାଧିକ ୧,୭୯୦ ନୂତନ ସଂକ୍ରମଣ ରିପୋର୍ଟ ସମତେ ଗତ ଏକ ମାସ ହେବ ଓଡ଼ିଶାରେ ହାରାହାରି ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଅଧିକ ହେଉଥିବା ରିପୋର୍ଟ ଆସୁଛି। ଦେଶର ସାପ୍ତାହିକ ନୂତନ ସଂକ୍ରମଣରେ ଓଡ଼ିଶାରୁ ୫% ଥିବା ବେଳେ ଅଗଷ୍ଟ ୫ ତାରିଖ ଦିନ ଶେଷ ହୋଇଥିବା ସପ୍ତାହରେ ପଜିଟିଭିଟି ହାର  ୪.୮୫% ଥିଲା।
ଏହି ପତ୍ରରେ ଓଡ଼ିଶାରେ ୧୫ଟି ଜିଲ୍ଲାରେ ପରୀକ୍ଷା ହ୍ରାସ, ୧୦ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଏବଂ ୪ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ହାର ୧୦%ରୁ ଅଧିକ ରହୁଥିବା କଥା ଉଲ୍ଲେଖ କରାଯାଇଛି ।
ସେହିପରି ଆଗାମୀ ମାସଗୁଡ଼ିକରେ ବହୁ ପର୍ବପର୍ବାଣି ପଡୁଥିବାରୁ ଜନସମାଗମ ହେବ ଏବଂ ସେଥିଯୋଗୁଁ ଅନ୍ୟାନ୍ୟ ସଂକ୍ରାମକ ରୋଗ ସମେତ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କ ରହିଛି । ତେଣୁ ରାଜ୍ୟର ଏହି ୧୦ଟି ଜିଲ୍ଲାରେ ଯଥେଷ୍ଟ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

Comments are closed.