ଜୁଲାଇ ୫ରେ ସାଧାରଣ ବଜେଟ : ଜନତାଙ୍କ ମତାମତ ଲେଡିଲେ ସରକାର

ନୂଆଦିଲ୍ଲୀ :୨୦୧୯-୨୦ କେନ୍ଦ୍ର ବଜେଟରେ ଅଧିକ ସଂଖ୍ୟାରେ ଅଂଶଗ୍ରହଣ ଓ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ସରକାର ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ ତାରିଖରେ ବଜେଟ ଉପସ୍ଥାପନ କରିବେ । ଆସନ୍ତା ୨୦ ତାରିଖ ସୁଦ୍ଧା mygov.in ପୋର୍ଟାଲ ଜରିଆରେ ଲୋକମାନେ ସେମାନଙ୍କ ମତାମତ ଦେଇପାରିବେ ।

ବିଗତ ଅନେକ ବର୍ଷ ହେବ ଏହିଭଳି ପ୍ରକ୍ରିୟା ଚାଲିଛି । ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସମାଜର ସବୁବର୍ଗର ଲୋକମାନଙ୍କ ଅଂଶଗ୍ରହଣକୁ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଂଶ ବୋଲି ବିବେଚନା କରାଯାଉଛି । ଲୋକମାନଙ୍କର ଆଶା ଆକାଂକ୍ଷାଗୁଡ଼ିକୁ ବଜେଟରେ ସ୍ଥାନ ଦେବା ପାଇଁ ଯେଉଁ ପରମ୍ପରା ରହିଛି, ତାହାକୁ ପାଳନ କରିବା ଲକ୍ଷ୍ୟରେ ସର୍ବସାଧାରଣଙ୍କ ମତାମତ ଲୋଡ଼ା ଯାଉଛି । ନବଗଠିତ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ୧୭ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୧୯-୨୦ ବର୍ଷ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଜୁଲାଇ ୪ ତାରିଖରେ ଉପସ୍ଥାପିତ ହେବ ଏବଂ ତା’ ପରଦିନ ଅର୍ଥାତ ଜୁଲାଇ ୫ ତାରିଖରେ ବଜେଟ ଉପସ୍ଥାପନ ହେବ।

Comments are closed.