ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ ଦେଶର ସମସ୍ତ ସହରୀ ସମବାୟ ବ୍ୟାଙ୍କ

- ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। କରୋନା ମହାମାରୀ ସମୟରେ ଦେଶରେ ଅର୍ଥନୈତିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି।

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ୧ ହଜାର ୪୮୨ଟି ସହରୀ ସମବାୟ ବ୍ୟାଙ୍କ ସମେତ ସମସ୍ତ ସରକାରୀ ବ୍ୟାଙ୍କଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ତଦାରଖ କ୍ଷମତା ଅଧୀନକୁ ଅଣାଯିବ। ସେହିପରି
ଉତ୍ତରପ୍ରଦେଶର କୁସିନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଘୋଷଣା କରିବାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜିର କ୍ୟାବିନେଟ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କ୍ୟାବିନେଟ ବୈଠକରେ ନିକଟରେ ଘୋଷିତ ଆତ୍ମ ନିର୍ଭର ଭାରତ ଅଭିଯାନ ଅଧୀନରେ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କ୍ୟାବିନେଟ ୧୫ ହଜାର କୋଟି ଟଙ୍କା ମଞ୍ଜୁରୀକୁ ଅନୁମୋଦନ କରିଛନ୍ତି। ସରକାର ପୂର୍ବରୁ ଦୁଗ୍ଧ ଭିତ୍ତିଭୂମି ବିକାଶ ପାଣ୍ଠିକୁ ଉତ୍ସାହିତ କରିବା ପାଇଁ ୧୦ ହଜାର କୋଟି ଟଙ୍କା ମଂଜୁର କରିଥିଲେ। ଆଜି ଅନୁମୋଦିତ ଦୁଗ୍ଧ ଏବଂ ମାଂସ ପ୍ରକ୍ରିୟାକରଣ ଓ ପଶୁ ଖାଦ୍ୟ ପ୍ରସ୍ତୁତିକରଣ ପ୍ଲାଣ୍ଟରେ ଭିତ୍ତିଭୂମି ବିକାଶ ପାଇଁ ଯୋଗ୍ୟ ହିତାଧିକାରୀ, କୃଷକ ଉତ୍ପାଦକ ସଂଗଠନ, ଏମଏସଏମଇ, ବେସରକାରୀ କମ୍ପାନୀ ଏବଂ ବ୍ୟକ୍ତିଗତ ଉଦ୍ୟୋଗୀମାନେ କେବଳ ୧୦ ପ୍ରତିଶତ ମାର୍ଜିନ ଅର୍ଥ ଉପଯୋଗ କରିବେ ଏବଂ ବଳକା ୯୦ ପ୍ରତିଶତ ଅର୍ଥ ବ୍ୟାଙ୍କଗୁଡିକ ଦ୍ୱାରା ଋଣ ଆକାରରେ ଯୋଗାଇଦିଆଯିବ।

ଏହି ଯୋଜନାରେ ସରକାର ଆକାଂକ୍ଷିତ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ୪% ଏବଂ ଅନ୍ୟ ଜିଲ୍ଲାର ହିତାଧିକାରୀଙ୍କ ପାଇଁ ୩% ସୁଧ ରିହାତି ପ୍ରଦାନ କରିବେ। ଋଣ ପରିଶୋଧ ପାଇଁ ପ୍ରଥମ ୨ ବର୍ଷ କୋହଳ କରାଯିବ ଓ ପରେ ୬ ବର୍ଷ ମଧ୍ୟରେ ଋଣ ପରିଶୋଧ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ସରକାର ୭୫୦ କୋଟି ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ମଧ୍ୟ ସ୍ଥାପନ କରିବେ। ନାବାର୍ଡ ଦ୍ୱାରା ଏହି ପାଣ୍ଠି ପରିଚାଳନା କରାଯିବ।

କେନ୍ଦ୍ର କ୍ୟାବିନେଟ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ନିଷ୍ପତ୍ତି:

– ୧ ହଜାର ୪୮୨ଟି ସହରୀ ସମବାୟ ବ୍ୟାଙ୍କ ଏବଂ ୫୮ଟି ବହୁ-ରାଜ୍ୟ ସମବାୟ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ତଦାରଖ କ୍ଷମତା ଅଧୀନକୁ ଅଣାଯିବ

– ରିଜର୍ଭ ବ୍ୟାଙ୍କ ଅଧୀନକୁ ୧ହଜାର ୫୪୦ଟି କୋଅପରେଟିଭ ବ୍ୟାଙ୍କ ଆଣିବା ନିଷ୍ପତ୍ତି ଫଳରେ ସେହି ବ୍ୟାଙ୍କଗୁଡିକରେ ପ୍ରାୟ ୪.୮୪ ଲକ୍ଷ କୋଟି ଟଙ୍କା ଜମା ରଖିଥିବା ୮.୬ କୋଟିରୁ ଅଧିକ ଜମାକାରୀ ନିଶ୍ଚିତ ହୋଇପାରିବେ

– ଉତ୍ତରପ୍ରଦେଶର କୁଶୀନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଘୋଷଣା କରିବାକୁ ଅନୁମୋଦନ

– ସମ୍ବିଧାନର ଧାରା ୩୪୦ ଅନୁଯାୟୀ ପଛୁଆ ବର୍ଗ ମଧ୍ୟରେ ଉପ-ବର୍ଗୀକରଣ ପ୍ରସଙ୍ଗର ଯାଞ୍ଚ ନିମନ୍ତେ ଗଠିତ ଆୟୋଗର କାର୍ଯ୍ୟକାଳ ୬ ମାସ ଅର୍ଥାତ ୨୦୧୧ ମସିହା ଜାନୁଆରୀ ୩୧ ଯାଏଁ ବୃଦ୍ଧି

– ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଶିଶୁ ଋଣ ବର୍ଗରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୧୨ ମାସ ପାଇଁ ଋଣ ଗ୍ରହୀତାଙ୍କୁ ୨ ପ୍ରତିଶତ ସୁଧ କୋହଳ

– ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଯୋଗ୍ୟ ହିତାଧିକାରୀଙ୍କୁ ସରକାର ୩% ସୁଧ କୋହଳ ଘୋଷଣା

– Indian National Space, Promotion & Authorisation Centre ନାମରେ ନୂଆ ପ୍ରତିଷ୍ଠାନ କାର୍ଯ୍ୟ କରିବ, ଉଭୟ ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନ ISRO ଏବଂ INSPAC ମିଶନ ସ୍ଥିର କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ

Comments are closed.