ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟକ୍ଷେତ୍ରରେ ଅପରାଗମାନଙ୍କୁ ବିଦା କରିବେ କେନ୍ଦ୍ର ସରକାର । ଏଥିଲାଗି ୩୦ ବର୍ଷରୁ ଉର୍ଧ୍ବ ସମୟ କାର୍ଯ୍ୟ କରିଥିବା ସମସ୍ତ କର୍ମଚାରୀଙ୍କ ସର୍ଭିସ ରେକର୍ଡ଼ ଯାଞ୍ଚ ନିର୍ଦେଶ ଦେଇଛି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ । ଏଥିପାଇଁ ସବୁ ବିଭାଗକୁ ନିର୍ଦେଶନାମା ପଠାଯାଇଛି । ଯେଉଁମାନେ କାର୍ଯ୍ୟକ୍ଷେତ୍ରରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି, ଦୁର୍ନୀତିଗ୍ରସ୍ତ ପ୍ରମାଣିତ ହୋଇଛନ୍ତି ସେମାନଙ୍କୁ ସ୍ଥାୟୀ ଭାବରେ ଅବସର ଦେବା ନିମନ୍ତେ ଏହି ନିର୍ଦେଶନାମାରେ କୁହାଯାଇଛି ।

କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ କର୍ମଚାରୀମାନଙ୍କ କାର୍ଯ୍ୟର ସମୀକ୍ଷା କେନ୍ଦ୍ର ସିିଭିଲ୍ ସର୍ଭିସ (ପେନସନ) ରୁଲ୍ସ ୧୯୭୨ ନିୟମର ଧାରା(ଏଫଆର୍) ୫୬ (ଜେ), ୫୬ (ଆଇ) ଓ ୪୮ (ଆଇ)(ବି) ଅନୁସାରେ କରାଯିବ ।ଏଥିରେ ସରକାରଙ୍କୁ କୌଣସି ସରକାରୀ କର୍ମଚାରୀଙ୍କୁ ଅବସର ଦିଆଯିବାକୁ ଅଧିକାର ଦିଆଯାଇଛି ।

୫୦ରୁ ୫୫ ବର୍ଷ ଆୟୁ ମଧ୍ୟରେ କିମ୍ବା ୩୦ ବର୍ଷ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଏହି ପର୍ଯ୍ୟାୟରେ ଯାଞ୍ଚ କରାଯିବ । ଶୁକ୍ରବାର ଏ ସମ୍ପର୍କରେ କାର୍ମିକ ମନ୍ତ୍ରଣାଳୟ ଆଦେଶ ଜାରି କରିଛନ୍ତି । ଏହି ଆଦେଶରେ କୁହାଯାଇଛି ଯେ ଯେଉଁ ସରକାରୀ ଅଧିକାରୀମାନଙ୍କର ଆୟୁ ୫୦ରୁ ୫୫ ବର୍ଷ ମଧ୍ୟରେ ଓ ଯେଉଁମାନେ ୩୦ ବର୍ଷ କାର୍ଯ କରି ସାରିଛନ୍ତି ସେମାନଙ୍କୁ କୌଣସି ସମୟରେ ମଧ୍ୟ ସେବାନିବୃତ୍ତ (ଅବସର) ଦିଆଯାଇପାରେ । ସେମାନଙ୍କର କାର୍ଯ୍ୟଧାରା, ଆଚରଣ ଆଧାରରେ ଏହି ପଦକ୍ଷେପ ନିଆଯାଇ ପାରିବ । ଅପାରଗ କର୍ମଚାରୀମାନଙ୍କୁ ମଧ୍ୟ ଅବସର ଦିଆଯିବା ନେଇ ଏଥିରେ ପ୍ରାବଧାନ ରହିଛି ।

ପ୍ରଥମେ ଜଣେ କର୍ମଚାରୀ କାର୍ଯ୍ୟ କରିବାକୁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରାଯିବ । ଯେଉଁମାନେ ଦୁର୍ନୀତିଗ୍ରସ୍ତ ସେମାନଙ୍କୁ ଅବସର ଦିଆଯିବ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ବିଭାଗକୁ ନିର୍ଧାରିତ ସମୟ ବ୍ୟବଧାନରେ କର୍ମଚାରୀମାନଙ୍କ ସେବା ବା କାର୍ଯ୍ୟର ସମୀକ୍ଷା କରିବାକୁ କୁହାଯାଇଥାଏ । ଯେଉଁମାନେ ନିଜକୁ ଯୋଗ୍ୟ ସାବ୍ୟସ୍ତ କରି ପାରିବେ ନାହିଁ ସେମାନଙ୍କୁ ଅବସର ଦିଆଯିବାରେ କୌଣସି ବାଧା ନାହିଁ । ସମୟ ପୂର୍ବରୁ କାହାକୁ ଅବସର ଦିଆଗଲେ ଏଥିପାଇଁ ସରକାରଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏହାର ନିୟମ ବାଧ୍ୟତାମୂଳକ ଅବସରଠାରୁ ଭିନ୍ନ ।