ଟିକାକରଣ ସମ୍ପର୍କିତ ସୂଚନା ନ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟିକାକରଣରେ ବିଭ୍ରାଟ ନେଇ ଅପ୍ରସ୍ତୁତ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଏ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ନ କରିବାକୁ ନିର୍ଦେଶ ଦେଇଛନ୍ତି। ବିଶେଷକରି କେତେ ଟିକା ଦିଆଯାଇଛି, କେତେ ମହଜୁଦ ଅଛି ବା ଟିକା ସଂରକ୍ଷଣ ବାବଦ ସୂଚନା କାହାକୁ ନ ଜଣାଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଜାରି କରିଥିବା ଚିଠିରେ ତାଗିଦା କରିଛନ୍ତି। ଏହି ତଥ୍ୟକୁ ମନ୍ତ୍ରଣାଳୟ ସମ୍ବେଦନଶୀଳ ବୋଲି ଦର୍ଶାଇ ଏହାକୁ ଟିକାକରଣ ସଂକ୍ରାନ୍ତ ଇଲେକ୍‌ଟ୍ରୋନିକ୍‌ ଭାକ୍ସିନ୍‌ ଇଣ୍ଟେଲିଜେନ୍ସ ନେଟ୍‌ୱର୍କ ବା ‘ଇ-ଭିନ୍‌’ରେ ପ୍ରଦର୍ଶନ ନ କରିବାକୁ କହିଛନ୍ତି।

ଏହି ତଥ୍ୟ ଉପଲବ୍ଧ ହେବା ଦ୍ବାରା ସର୍ବସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ସରକାର ଯୁକ୍ତି ଦର୍ଶାଇଛନ୍ତି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ସହାୟତାରେ ଇ-ଭିନ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଟିକାକରଣ ସମ୍ପର୍କିତ ସମସ୍ତ ତଥ୍ୟ ଓ ସୂଚନା ଉପଳବ୍ଧ ହେଉଛି। କୌଣସି ଗଣମାଧ୍ୟମ କିମ୍ବା ସ୍ବେଚ୍ଛାସେବୀ ସଂସ୍ଥା ଯେମିତି ଇ-ଭିନ୍‌ରୁ ସୂଚନା ନ ପାଇବେ ସେଥିପ୍ରତି ସତର୍କ ରହିବାକୁ ସରକାର କହିଛନ୍ତି।

Comments are closed.