କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହିତ ଇସିଙ୍କ ବୈଠକ : ସ୍ଥଗିତ ରହି ନପାରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡିକରେ କରୋନା ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବାକୁ ନିର୍ବାଚନ ଆୟୋଗ (ଇସି) କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନିର୍ଦେଶନାମା ଅନୁଯାୟୀ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ୧୦୦% ଜନତା ସମ୍ପୂର୍ଣ୍ଣ ଦୁଇପାନ ଟିକା ନିଶ୍ଚିତ ପାଇବା ଦରକାର। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହିତ ନିର୍ବାଚନ ଆୟୋଗଙ୍କ ବୈଠକ ପରେ ଏହି ନିର୍ଦେଶ ଦିଆଯାଇଛି। ଆସନ୍ତାବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡିକ ମଧ୍ୟରୁ ଗୋଆ ଓ ଉତ୍ତରାଖଣ୍ଡରେ ପ୍ରାୟ ଶତପ୍ରତିଶତ ନାଗରିକ ପ୍ରଥମ ପାନ ଟିକା ନେଇସାରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ୮୫%, ମଣିପୁର ଓ ପଞ୍ଜାବରେ ୮୦% ପ୍ରଥମ ପାନ ଟିକା ପାଇସାରିଛନ୍ତି। ତେବେ ଏହି ୫ଟି ରାଜ୍ୟରେ ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଯେପରି ସମ୍ପୂର୍ଣ୍ଣ ଦୁଇପାନ ଟିକା ମିଳିପାରିବ ସେଥିପାଇ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବାକୁ ଇସି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆଜିର ବୈଠକରୁ ମିଳିଥିବା ନିଷ୍କର୍ଷ ଅନୁଯାୟୀ କରୋନା ମହାମାରୀ ପାଇଁ ଉପରୋକ୍ତ ରାଜ୍ୟଗୁଡିକର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାର ସମ୍ଭାବନା ପ୍ରାୟତଃ ନାହିଁ।
ଆଜିର ବୈଠକରେ ନିର୍ବାଚନ ଆୟୋଗ ଏନସିବି, ବିଏସଏଫ୍, ଆଇଟିବିପି ଓ ଏସଏସବିର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ନିର୍ବାଚନ ହେବାକୁ ଥିବା ରାଜ୍ୟର ଆନ୍ତର୍ଜାତିକ ସୀମା ସୁରକ୍ଷାକୁ କଡାକଡି କରିବାକୁ ଇସି ନିର୍ଦେଶ ଦେଇଛନ୍ତି। ନିର୍ବାଚନ ସମୟରେ ମାଦକ ଦ୍ରବ୍ୟର ପ୍ରଭାବକୁ ରୋକିବା ଲାଗି ଇସି ଏନସିବି ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବିଶେଷକରି ଗୋଆ ଓ ପଞ୍ଜାବ ନିର୍ବାଚନ ସମୟରେ ମାଦକଦ୍ରବ୍ୟ କାରବାର ଉପରେ କଡା ନଜର ରଖିବାକୁ କୁହାଯାଇଛି। ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଉତ୍ତରପ୍ରଦେଶ ଗସ୍ତରେ ଯିବେ।

Comments are closed.