ପୁଣି ଫେରିବ ଟେଲିଫୋନ, ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ଅଫିସରେ ବିଏସଏନଏଲ ଓ ଏମଟିଏନଏଲ ସଂଯୋଗ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପୁଣି ଫେରିବ ଟେଲିଫୋନର ଯୁଗ । ଧିରେ ଧିରେ ବୁଡିଯାଉଥିବା ସରକାରୀ ଟେଲିକମ୍‌ କମ୍ପାନୀଙ୍କୁ ପୁଣିଥରେ ତାର ମାର୍ଗକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ନେଇଛନ୍ତି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ଏଣିକି ମନ୍ତ୍ରାଳୟ, ସରକାରୀ ଅଫିସ ସମେତ ସାର୍ବଜନିକ ଉପକ୍ରମ କାର୍ଯ୍ୟାଳୟରେ ଭାରତର ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ଟେଲିଫୋନ ସେବା ଉପଲବ୍ଧ କରିବା ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର ।

ଟେଲି ଯୋଗାଯୋଗ ବିଭାଗ (ଡିଓଟି) ଦ୍ବାରା ଜାରି କରାଯାଇଥିବା ଏକ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ‘ଭାରତ ସରକାର ଏହାର ସମସ୍ତ ମନ୍ତ୍ରଣାଳୟ / ବିଭାଗ, ସିପିଏସ୍ଇ, କେନ୍ଦ୍ରୀୟ ସ୍ୱୟଂଶାସିତ ସଂସ୍ଥା ଦ୍ବାରା  ଭାରତର ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ର ଟେଲିଫୋନ ସେବା ବାଧ୍ୟତାମୂଳକ ବ୍ୟବହାରକୁ ଅନୁମୋଦନ କରିଛନ୍ତି। ଏହି ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ପରାମର୍ଶ ଅନୁସାରେ ଗତ ଅକ୍ଟୋବର ୧୨ ତାରିଖ ଦିନ ସରକାରଙ୍କ ସମସ୍ତ ବିଭାଗ ଓ ସଚିବଙ୍କୁ ପଠାଇ ଦିଆଯାଇଛି

ଏହି ସ୍ମାରକପତ୍ରରେ କୁହାଯାଇଛି ଯେ ଭାରତର ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ର ଟେଲିକମ୍ ସେବାକୁ ବାଧ୍ୟତାମୂଳକ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଟେଲି ଯୋଗାଯୋଗ ବିଭାଗ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ସିପିଏସ୍ଇ ଏବଂ କେନ୍ଦ୍ରୀୟ ସ୍ୱୟଂଶାସିତ ସଂଗଠନକୁ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଏବଂ ଲିଜ୍ ଲାଇନ ଆବଶ୍ୟକତା ପାଇଁ ବିଏସଏନଏଲ କିମ୍ବା ଏମଟିଏନଏଲନେଟୱାର୍କକୁ ବାଧ୍ୟତାମୂଳକ ଭାବରେ ବ୍ୟବହାର କରିବାକୁ କହିଛି।

Comments are closed.