କରୋନା ମୁକାବିଲା : ସହରାଞ୍ଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ କରିବା ଲାଗି କେନ୍ଦ୍ରର ନିର୍ଦ୍ଦେଶ

ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

-ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସମୟୋଚିତ ମଜୁରି ପ୍ରଦାନ ପାଇଁ ବ୍ୟବସ୍ଥା

ନୂଆଦିଲ୍ଲୀ : ରାଜ୍ୟର କେତେକ ଅଂଚଳରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ଆସୁଥିବା ଲକ୍ଷ୍ୟ କରାଯାଉଛି । ବିଭିନ୍ନ ଜିଲ୍ଲା ଓ ରାଜ୍ୟର ସୀମାଗୁଡିକୁ ସିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ସହର ଓ ରାଜରାସ୍ତାରେ ଲୋକମାନଙ୍କ ଚଳପ୍ରଚଳ ନ ହୁଏ, ତାହାକୁ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଡିଏମ ଆକ୍ଟ ଅନୁସାରେ ଜିଲ୍ଲାପାଳ ଓ ଏସପି ମାନେ ଏହିସବୁ ନିର୍ଦ୍ଦେଶାବଳୀକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ। ବାହାର ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ଏଥିପାଇଁ ଏସଡିଆରଏଫରୁ ଅର୍ଥ ବ୍ୟୟ ପାଇଁ ଆଦେଶ ଜାରୀ କରିଛନ୍ତି। ଏହି ପାଣ୍ଠିରେ  ରାଜ୍ୟ ସରକାରମାନଙ୍କ ଯଥେଷ୍ଟ ଅର୍ଥ ମହଜୁଦ ଅଛି।

କ୍ୟାବିନେଟ ସଚିବ ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ରଖିଛନ୍ତି। ଶନିବାର ଓ ରବିବାର କ୍ୟାବିନେଟ ଓ ଗୃହ ସଚିବ ରାଜ୍ୟର ମୁଖ୍ୟ ଶାସଚ ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ହୋଇଛି।
ମୋଟାମୋଟି ଭାବେ କହିବାକୁ ଗଲେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲକଡାଉନର ନିୟମଗୁଡିକୁ କଡାକଡି ଭାବେ ପାଳନ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଥିବା ବେଳେ ଅହୋରାତ୍ର ପରିସ୍ଥିତି ଉପରେ ନଜର ରଖାଯାଇଛି। ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ଲକଡାଉନ କାଳରେ କୌଣସି କାଣ୍ଟଛାଣ୍ଟ ନକରି ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି। ଏହି ସମୟରେ ସେମାନଙ୍କ ଠାରୁ ଘର ଭଡା ଦାବି ନକରିବାକୁ ମଧ୍ୟ କୁହାଯାଇଛି। ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଘର ଖାଲି କରିବାକୁ କହୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ଏହିସବୁ ନିୟମାବଳୀର ଉଲଘଂନ କରି ଯୋଉଁମାନେ ବାହାରକୁ ଯିବା ପାଇଁ ବାହାରିଛନ୍ତି, ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିବା ପାଇଁ କୁହାଯାଇଛି । କ୍ୱାରେଣ୍ଟାଇନରେ ରଖିବା ନେଇ ସମସ୍ତ ନିୟମାବଳୀ ରାଜ୍ୟଗୁଡିକୁ ପଠାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ୩ ସପ୍ତାହ ନିମନ୍ତେ କଟକଣା କଡାକଡି ଭାବେ ଲାଗୁ କରିବାକୁ ସମସ୍ତଙ୍କ ହିତ ଦୃଷ୍ଟିରୁ ରାଜ୍ୟମାନଙ୍କୁ କୁହାଯାଇଛି।

Comments are closed.