ସମାଜ ପ୍ରତି ‘ସମାଜ’ ସବୁବେଳେ ତା’ର କର୍ତ୍ତବ୍ୟ କରିଆସିଛି: ଗିରିଧର ଗମାଙ୍ଗ

ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି ‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହ। ଓଡ଼ିଶା ସମେତ ୬ଟି ରାଜ୍ୟରୁ ଆସିଥିବା କଳାକାରଙ୍କ ନୃତ୍ୟରେ ପ୍ରକମ୍ପିତ ହୋଇଛି ପବିତ୍ର ଶରଧାବାଲି। ନୃତ୍ୟଶିଳ୍ପୀ ଏବଂ ଛାତ୍ରଛାତ୍ରୀଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସେ କହିଲେ, ଏଭଳି କାର୍ଯ୍ୟକ୍ରମ ଲୋକସଂସ୍କୃତିର ପ୍ରସାର ପାଇଁ ଆନନ୍ଦ ଓ ପ୍ରେରଣା ଯୋଗାଇବ। ସମାଜ ପ୍ରତି ‘ସମାଜ’ ସବୁବେଳେ ତା’ର କର୍ତ୍ତବ୍ୟ କରିଆସିଛି। ଆଜିର ଏହି ପ୍ରୟାସ ଓଡ଼ିଶାର ଲୁକ୍କାୟିତ କଳାସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ। ଶ୍ରୀଜଗନ୍ନାଥ ଆଦିବାସୀ ଦେବତା ଏବଂ ୬୪କଳାର ଅଧିକାରୀ। ଏହି କ୍ଷେତ୍ରରେ ଜଣେ କଳାକାର ଭାବେ ମୋର କଳାନୈପୁଣ୍ୟ ପ୍ରଦର୍ଶନ ପାଇଁ ‘ସମାଜ’ ସୁଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଯେ କୌଣସି ଶବ୍ଦକୁ ସଙ୍ଗୀତରେ ପରିବେଷଣ କରାଯାଇ ପାରିବ। ଓଡ଼ିଶାର ଆଦିବାସୀ ସଙ୍ଗୀତକୁ ଗଣମାଧ୍ୟମ ପ୍ରାଧାନ୍ୟ ଦେବା ଉଚିତ। ଭାବ, ରାଗ ଓ ତାଳ ଭରତମୁନିଙ୍କ ଅବଦାନ ବୋଲି ଶ୍ରୀ ଗମାଙ୍ଗ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଲେ ‘ସମାଜ’ ଏକମାତ୍ର ଖବରକାଗଜ ଯିଏ ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ କରିଆସୁଛି। ଏହା କେବଳ ଏକ ଖବରକାଗଜ ନୁହେଁ; ଏକ ଅନୁଷ୍ଠାନ। ଓଡ଼ିଶାର ଘରେ ଘରେ ‘ସମାଜ’ର ଆଦର ରହିଛି। ଏଥିରେ ପ୍ରକାଶିତ ଖବର ବିଶ୍ବାସଯୋଗ୍ୟ ବୋଲି ସେ ମତ ଦେଇଥିଲେ। ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଲେ ଶ୍ରୀକ୍ଷେତ୍ର କଳା ଓ ସଂସ୍କୃତିର ସହର। ଏଠାକାର ମାଟି ପବିତ୍ର। ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିରୁ ଆରମ୍ଭ ହୋଇଥିବା ସାଂସ୍କୃତିକ ମହୋତ୍ସବ ସଂସ୍କୃତି ସୁରକ୍ଷା ଅଭିଯାନକୁ ଆଗେଇ ନେବାରେ ସହାୟକ ହୋଇପାରିବ। କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ସମେତ ଶାନ୍ତି ଓ ସଂହତି ପ୍ରତିଷ୍ଠା ପାଇଁ ‘ସମାଜ’ ସବୁବେଳେ ଉଦ୍ୟମ କରିଆସଛି।

ଶତାବ୍ଦୀ ବର୍ଷରେ ଭାରତୀୟ ଲୋକସଂସ୍କୃତି ଏବଂ ଲୋକସଙ୍ଗୀତକୁ ଲୋକାଭିମୁଖୀ କରିବା ସାଂସ୍କୃତିକ ସମାରୋହର ଉଦେଶ୍ୟ। ଲୋକସେବକ ମଣ୍ଡଳ ସଭାପତି ତଥା ‘ସମାଜ’ ପରିଚାଳନା ପରିଷଦର ଅଧ୍ୟକ୍ଷ ଦୀପକ ମାଲବ୍ୟ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଲୋକସେବକ ମଣ୍ଡଳ କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ପରିଷଦ କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ ଏବଂ ଲୋକସେବକ ମଣ୍ଡଳ ସଦସ୍ୟ ରାଜ କୁମାର ମଞ୍ଚରେ ଉପସ୍ଥିତ ଥିଲେ।
‘ସମାଜ’ କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି କୃତଜ୍ଞତା ଅର୍ପଣ କରିଥିଲେ। ‘ସମାଜ’ ରିଲିଫ କମିଟି ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଲ.ଆର ଡିଏଭି ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ବାଗତ ସଙ୍ଗୀତ ସମେତ ଦେଶାତ୍ମବୋଧକ ନୃତ୍ୟ ‘ମା ତୁଝେ ସଲାମ’ ପରିବେଷଣ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗମାଙ୍ଗ ଚାଙ୍ଗୁ ପରିବେଷଣ କରିଥିଲେ। ତାଙ୍କ ଅନୁଷ୍ଠାନ ହିଡେନ୍‌ ଟ୍ୟାଲେଣ୍ଟ କଳାକାର ଆଦିବାସୀ ନୃତ୍ୟ ଓ ବାଦ୍ୟ ପରିବେଷଣ କରିଥିଲେ। ଗୁଜରାଟ କଳାକାରମାନେ କୃଷ୍ଣଲୀଳା ଏବଂ ବରଗଡ କଳା ଗବେଷଣା ପ୍ରତିଷ୍ଠାନ ନୃତ୍ୟଶିଳ୍ପୀଙ୍କ ଦ୍ବାରା ବିକାଶ ମେହେରଙ୍କ ନେତୃତ୍ବରେ ସମ୍ବଲପୁରୀ ଲୋକନୃତ୍ୟ କରାଯାଇଥିଲା। ଦିଲ୍ଲୀ ବଲୱନ୍ତ ରାୟ ମେହେଟା ବିଦ୍ୟାଭବନ ମୁକ ଓ ବଧିର ଛାତ୍ରଛାତ୍ରୀଙ୍କ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। ଏହାପରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ କଳାହାଣ୍ଡିର ଜୟନ୍ତ ବେହେରା ଓ ସାଥୀ ବଜାସାଲ ନୃତ୍ୟ କରିଥିଲେ। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ କଳକାର ଡ. ରବି ତେଜା ପେରିନି ଏବଂ ଡ. କେ.ଭି ଭାର୍ଗବଙ୍କ ନିର୍ଦେଶନାରେ ଲୋକନୃତ୍ୟ ପରିବେଷଣ କରିଥିଲେ। ମୟୂରଭଞ୍ଜ ବାମନଘାଟି ଛଉ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ଦୁଷ୍ମନ୍ତ କୁମାର ବାସା ଓ ସାଥୀ ଆକର୍ଷଣୀୟ ଛଉନୃତ୍ୟ କରିଥିଲେ।

Comments are closed.