ଆଜିଠୁ ‘ସମାଜ’ର ଶତାବ୍ଦୀ ସାଂସ୍କୃତିକ ଉତ୍ସବ

କଟକ: ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଭାରତୀୟ ଲୋକ ସଂସ୍କୃତି ଓ ଲୋକସଂଗୀତକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ‘ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ୩ ଦିନିଆ ‘ଶତାବ୍ଦୀ ସାଂସ୍କୃତିକ ଉତ୍ସବ’। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀ, ମନ୍ଦିରମାଳିନୀ ଭୁବନେଶ୍ବର ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରରେ ୨୧, ୨୨ ଓ ୨୩ ତାରିଖ ତିନିଦିନ ଧରି ଏହି ସାଂସ୍କୃତିକ ଆଲୋଚନା ଓ ଲୋକସଂଗୀତ ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ୨୧ ତାରିଖରେ ପୁରୀ ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ସନ୍ଧ୍ୟା ୬ଟାରେ ଓ ୨୨ ତାରିଖ(ବୁଧବାର) କଟକର ଉପର ବାଲିଯାତ୍ରା ପଡିଆରେ ସନ୍ଧ୍ୟା ୬ଟା ସମୟରେ ସଂସ୍କୃତିଭିତ୍ତିକ ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ସେହିଭଳି ଭୁବନେଶ୍ବରରେ ୨୩ ତାରିଖ (ଗୁରୁବାର) ପୂର୍ବାହ୍ନ ୧୦.୩୦ ମିନିଟ୍‌ରେ ଭଞ୍ଜକଳା ମଣ୍ଡପ ନିକଟ ସଂସ୍କୃତି ଭବନ ସଭାଗୃହରେ ‘ସମାଜ ସମ୍ମେଳନ’ରେ ‘ଜାତୀୟ ଏକତା ଓ ଅଖଣ୍ଡତାରେ କଳାକାରଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ ହେବାକୁ ଥିବାବେଳେ ସନ୍ଧ୍ୟା ୬ଟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ ଆଲୋଚନା ଓ ସଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହି ତିନିଟି ଦିବସରେ ସଂସ୍କୃତିଭିତ୍ତିକ ଆଲୋଚନା ସହିତ ବିଭିନ୍ନ ରାଜ୍ୟର ଲୋକସଂଗୀତ ଓ ଲୋକନୃତ୍ୟ ପରିବେଷଣ କରାଯିବ। ଏଥିରେ ଓଡ଼ିଶାର ସମ୍ବଲପୁରୀ, ଗୁଡୁକା ଲୋକନୃତ୍ୟ, ଗୁଜରାଟର ଗରବା, ଛଉ, ପଞ୍ଜାବୀ ଭାଙ୍ଗଡା ଏବଂ ତ୍ରିପୁରାର ହୋଡାଲଗିରି ଲୋକନୃତ୍ୟ ଆଦି ପରିବେଷିତ ହେବ। ସମାଜ ପୋର୍ଟାଲ (samajalive.in)ରେ ସନ୍ଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ପ୍ରତିଦିନ ସନ୍ଧ୍ୟା ୬ଟାରୁ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ।

Comments are closed.