ଦିଲ୍ଲୀ ହିଂସା ମୃତ୍ୟୁସଂଖ୍ୟା ୩୮ ଛୁଇଁଲା : ଏସ୍‌ଆଇଟି କରିବ ତଦନ୍ତ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀ ସାମ୍ପ୍ରଦାୟିକ ହିଂସାଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବାବେଳେ ଶତାଧିକ ଚିକିତ୍ସାଧୀନ ଥିବାରୁ ଏହି ସଂଖ୍ୟା ବୃଦ୍ଧିପାଇବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚ ଅଧୀନରେ ଦୁଇଟି ସ୍ବତନ୍ତ୍ର ଦଳ (ଏସ୍‌ଆଇଟି)ଗଠନ କରାଯାଇଛି। ନବନିଯୁକ୍ତ ସ୍ବତନ୍ତ୍ର ପୁଲିସ କମିସନର ଏସ୍‌ଏନ୍‌ ଶ୍ରୀବାସ୍ତବ ଗୁରୁବାର ଚାନ୍ଦ୍‌ବାଗ ସମେତ ବିଭିନ୍ନ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୂର୍ବକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ପୁଲିସ ମୁଖପାତ୍ର ଏମ୍‌.ଏସ୍‌ ରାନ୍ଧୱା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅଦ୍ୟାବଧି ଦାୟର ହୋଇଥିବା ସମସ୍ତ ଏତଲା ଉପରେ ଏସ୍‌ଆଇଟି ତଦନ୍ତ କରିବ। ଡିସିପି ଜୟ ତିର୍କୀ ଓ ଡିସିପି ରାଜେଶ ଦେଓଙ୍କ ନେତୃତ୍ବରେ ଏହି ଦୁଇ ଏସ୍‌ଆଇଟି ଗଠନ ହୋଇଛି। ପ୍ରତି ଦଳରେ ୪ ଏସିପି, ୧୨ ଇନ୍ସପେକ୍ଟର, ୧୬ ସବ୍‌-ଇନ୍ସପେକ୍ଟର ଓ ୧୨ ହେଡ୍‌ କନ୍‌ଷ୍ଟେବଳଙ୍କୁ ରଖାଯାଇଥିବା ସେ କହିଛନ୍ତି। ଅତିରିକ୍ତ ପୁଲିସ କମିସନର ବି.କେ ସିଂହ ଦୁଇ ଦଳର ତତ୍ତ୍ବାବଧାନ କରିବେ। ଅଦ୍ୟାବଧି ମାମଲାରେ ୪୮ଟି ଏତଲା ଦାୟର ହୋଇଛି ଏବଂ ଆଉ ୨୦ଟି ଏତଲା ଦାୟର ପାଇଁ ପ୍ରସ୍ତୁତି ଚାଲିଛି। ଆହୁରି ଅଧିକ ଏତଲା ଦାୟର ହେବାର ସମ୍ଭାବନା ଥିବା ସେ କହିଛନ୍ତି। ହଂିସାକାଣ୍ଡ ଭିଆଇବା, ହତ୍ୟା, ପୋଡ଼ାଜଳା ଓ ଭଙ୍ଗାରୁଜା, ଲୁଟ୍‌ତରାଜ ଆଦିକୁ ନେଇ ଏତଲା ଦାୟର ହୋଇଛି। ଏକ ହଜାରରୁ ଅଧିକ ସିସି ଟିଭି ଚିତ୍ର ଅନୁଧ୍ୟାନ କରାଯାଉଛି ଏବଂ ସେହି ଅନୁସାରେ ଏତଲା ଦାୟର ହେବ ବୋଲି ରାନ୍ଧୱା କହିଛନ୍ତି। ଗୁରୁବାର ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନାହିଁ ବୋଲି ରାନ୍ଧୱା କହିଛନ୍ତି।
ଅପରପକ୍ଷରେ ତିନି ବିଜେପି ନେତାଙ୍କ ବିରୋଧରେ ଆଜି, ୨୭ତାରିଖ ଅପରାହ୍ଣ ୩ଟା ସୁଦ୍ଧା ଏତଲା ଦାୟର ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦେଶ ଅନୁପାଳନ ହୋଇ ନାହିଁ। ଏତଲା ଦେବାକୁ ନିର୍ଦେଶ ଦେଇଥିବା ବିଚାରପତି ଏସ୍‌. ମୁରଲୀଧରଙ୍କର ବୁଧବାର ରାତିରେ ବଦଳି ହେବା ପରେ ଗୁରୁବାର ନୂଆ ପୀଠରେ ମାମଲାର ଶୁଣାଣି ହୋଇଛି। ବିଚାରପତି ଡି.ଏନ୍‌ ପଟେଲ ଓ ବିଚାରପତି ସି ହରିଶଙ୍କରଙ୍କୁ ନେଇ ଗଠିତ ନୂଆ ପୀଠ ମାମଲାର ଶୁଣାଣି କରିଛନ୍ତି। ବିଜେପି ନେତାଙ୍କ ଘୃଣା ମନ୍ତବ୍ୟ ପ୍ରସଙ୍ଗରେ ଦିଲ୍ଲୀ ପୁଲିସ କାହିଁକି ଦ୍ବିଧା ପ୍ରକାଶ କରୁଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି ଏବଂ କେନ୍ଦ୍ରକୁ ୪ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି। ପୀଠ ପୁଲିସକୁ ମଧ୍ୟ ଏଥିପାଇଁ ୪ସପ୍ତାହ ସମୟ ଦେଇଛନ୍ତି। ଏଥିସହିତ ମାମଲାର ଶୁଣାଣିକୁ ଏପ୍ରିଲ ୧୩କୁ ଧାର୍ଯ୍ୟ କରିଛନ୍ତି।
ଏହା ପୂର୍ବରୁ ଦିଲ୍ଲୀର ଆଇନଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥିବାରୁ ମାମଲାରେ କେନ୍ଦ୍ରକୁ ପକ୍ଷ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହତା ଆବେଦନ କରିବାରେ ପୀଠ ଏହାକୁ ଗ୍ରହଣ କରିଥିଲେ। ଆବେଦନକାରୀ କଲିନ ଗନ୍‌ସାଲ୍‌ଭେସ୍‌ଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ହର୍ଷ ମନ୍ଦର ଏତଲା ପ୍ରସଙ୍ଗରେ ପୀଠଙ୍କ ନିଷ୍ପତ୍ତିର ପ୍ରତିବାଦ କରିଥିଲେ। ପ୍ରତ୍ୟହ ୧୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟୁଥିବାବେଳେ ମାମଲାର ତ୍ବରିତ ଶୁଣାଣି ଆବଶ୍ୟକ; ତେଣୁ ସଅଳ ତାରିଖ ଧାର୍ଯ୍ୟ କରିବାକୁ ମନ୍ଦର ପୀଠଙ୍କୁ ନିବେଦନ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଥିଲା। ‘ଗୋଲି ମାରୋ’ ସମ୍ପ୍ରତି ବିଜେପିର ଲୋକପ୍ରିୟ ସ୍ଲୋଗାନ୍‌ ହୋଇଛି ଦର୍ଶାଇ ଏଭଳି ସ୍ଲୋଗାନ୍‌ ଯିଏ ଦେଉଛି ତାକୁ ହତ୍ୟା ଅପରାଧ ସହିତ ସଂଯୋଗ କରିବାକୁ ସେ ନିବେଦନ କରିଥିଲେ ଓ ତୁରନ୍ତ ସେମାନଙ୍କ ବିରୋଧରେ ଏତଲା ଦାୟର ହେବା ଆବଶ୍ୟକ ବୋଲି କହିଥିଲେ। ଏହାକୁ ଖଣ୍ଡନ କରି ତୁଷାର ମେହତା କହିଥିଲେ ଯେ ଏତଲା ଦାୟର କରାଯିବା ଭଳି ପରିସ୍ଥିତି ଏବେ ନାହିଁ; ତେଣୁ ଏଥିପାଇଁ ତରବର ହେବା ଅନୁଚିତ। ଏହାକୁ ପୀଠ ଗ୍ରହଣ କରିଥିଲେ।

Comments are closed.