ଅମାନିଆଙ୍କୁ ବାନ୍ଧିବ ଆରକ୍ଷୀ

ଭୁବନେଶ୍ୱର: ​ଭୁବନେଶ୍ବର ଓ କଟକରେ ସୋମବାରଠାରୁ ଲାଗୁ ହେବ ପାର୍ବଣ କଟକଣା। ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ୧୦ ଦିନ ପାଇଁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ ନିଷେଧାଦେଶ ଜାରି ହେବ। ପାର୍ବଣ ଭିଡ଼କୁ ହ୍ରାସ କରିବା ପାଇଁ ଏହି ଦୁଇ ସହର‌େ‌ର ରାତି ୮ଟାରୁ ସବୁ ଦୋକାନ ବଜାର ବନ୍ଦ ରହିବ। ଗତ ଦୁଇ ମାସ ଭିତରେ ସଂକ୍ରମଣ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ବହୁ ପରିମାଣରେ କମି ଥିଲେ ବି ଏହି ଦୁଇ ସହରରେ ନିୟନ୍ତ୍ରଣ ବାହାରେ ରହିଛି। ବିଶେଷକରି ଖୋର୍ଦ୍ଧାରେ ରାଜ୍ୟର ଅର୍ଦ୍ଧାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅନ୍ୟପକ୍ଷରେ ପାର୍ବଣ ଭିଡ଼କୁ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ମାର୍ଗଦର୍ଶିକା ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିବାକୁ ଆରକ୍ଷୀ ବିଭାଗ କାର୍ଯ୍ୟାନୁଷ୍ଠାନ ଭୂମିକାକୁ ଓହ୍ଲାଇଛି। ପ୍ରଥମ ଭୁଲ୍‌ରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଉପରେ ଜୋରିମାନା ଲାଗୁ କରାଯିବାକୁ ସ୍ଥିର ହୋଇଛି। ଏପରିକି ଅଧିକ ଅମାନିଆ ହେଲେ ଗିରଫ ମଧ୍ୟ କରାଯିବ ବୋଲି ​‌େ​‌ଦ୍ବୖତନଗରୀ ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସତର୍କ କରାଇ ଦେଇଛନ୍ତି।

ସେ କହିଛନ୍ତି ଯେ, ରାତି ୮ଟା ପରେ କଟକ-ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ। ନିୟମ ଖିଲାପ କଲେ ଅମାନିଆ ଦଣ୍ଡ ଭୋଗିବେ। ଏଥିସହ ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯେ କେହି ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ସେ ନିବେଦନ କରିଛନ୍ତି ।

ପାର୍ବଣ ବେଳେ କମିଶନରେଟ୍ ପୁଲିସ୍ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଓ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ। କଟକ-ଭୁବନେଶ୍ବରରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ୍ ଆୟୁକ୍ତ କୋଭିଡ୍ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଗଣମାଧ୍ୟମ ଜରିଆରେ ‌‌େ‌ଦ୍ବୖତନଗରୀବାସୀଙ୍କୁ ରାଜ୍ୟ ସରକାରଙ୍କ କଟକଣା ମାନିବାକୁ ଅନୁରୋଧ କରିଛନ୍ତି। ପୂଜା ମଣ୍ଡପ ଗୁଡ଼ିକରେ ରାଜ୍ୟ ସରକାରଙ୍କ କଟକଣା ଅନୁସାରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ରୀତିନୀତିରେ ହେବ। କିନ୍ତୁ ମଣ୍ଡପରେ ଆୟୋଜକଙ୍କ ସହ ୭ ଜଣରୁ ଅଧିକ ରହିପାରିବେ ନାହିଁ। ଏହାବ୍ୟତୀତ ମଣ୍ଡପର ଚାରିପଟ କପଡ଼ାରେ ଆବଦ୍ଧ କରାଯିବ। ମଣ୍ଡପ ବାହାରେ ଆଲୋକମାଳାର ସାଜସଜ୍ଜା ହେବନାହିଁ କି ଡାକବାଜି ଯନ୍ତ୍ର ଲାଗିବ ନାହିଁ। ପ୍ରତ୍ୟେକ ମଣ୍ଡପରେ ପୁଲିସ ମୁତୟନ ହେବେ। ମଣ୍ଡପରେ କୌଣସି ବଡ଼ଧରଣର ପ୍ରସାଦସେବନର ବ୍ୟବସ୍ଥା ହେବନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ରହିଛି।
ପାର୍ବଣର ପରିବେଶ ଏବେ ବାଜରଘାଟରେ ଦେଖିବାକୁ ମିଳିଲାଣି। ଭିଡ଼ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ବଜାର ଘାଟରେ ତୁଣ୍ଡି ଏବଂ ସାମାଜିକ ଦୂରତା ପାଳନ ଉପରେ ଗୁରୁତ୍ବ ଦେବା ଆରମ୍ଭ କରିଛି। ସ୍ବତନ୍ତ୍ର ଭାବେ ନଜର ରଖିବା ଲାଗି ଦଳଗଠନ କରାଯାଇଛି। ସେମାନେ ଯେଉଁଠାରେ ନିୟମ ଉଲ୍ଲଘଂନ ହେଉଥିବ ସେଠାରେ ଜୋରିମାନା କରିବେ। ଅନେକ ଅମାନିଆ ଅଛନ୍ତି ସେମାନଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି। ସାନ୍ଧ୍ୟ ଆଇନକୁ ପୂର୍ବରୁ ଜନସାଧାରଣ ଯେଉଁ ପ୍ରକାର ପାଳନ କରିଥିଲେ ସେହିପରି ଏଥର ପାଳନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଶ୍ରୀ ପ୍ରିୟଦର୍ଶୀ ଚେତାଇ ଦେଇଛନ୍ତି।

Comments are closed.