ଜାତୀୟ ସ୍ତରରେ ପାଦ ଥାପିବ ମହିଳା ଉଦ୍ୟୋଗୀ ପରିଷଦ

ମହିଳା ବିଜନେସ ମେଳାକୁ ମିଳିଲା ସଫଳତା

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ମହିଳା ଉଦ୍ୟୋଗୀ ପରିଷଦ(ଆଇଡବ୍ଲ୍ୟୁଇସି) ପକ୍ଷରୁ ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜନେସ ମେଳା ସଫଳତା ହାସଲ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି। ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ଏହି ନିଆରା କାର୍ଯ୍ୟକ୍ରମ ଦେଶ ବିଦେଶରେ ପହଞ୍ଚି ପାରିଛି। ଓଡ଼ିଶାରେ ଏହାର ସଫଳତା ପରେ ଜାତୀୟ ସ୍ତରରେ ପାଦ ଥାପିବାକୁ ଯାଉଛି ମହିଳା ଉଦ୍ୟୋଗୀ ପରିଷଦ। ଏହି ସଂଗଠନ ଓଡ଼ିଶା ମଡ଼େଲ୍ ଉପରେ ଆଧାର କରି ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଜାତୀୟ ଇକୋସିଷ୍ଟମ ବିକାଶ କରିବ। ଆସନ୍ତା କିଛି ମାସ ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ପୁଣେ ଏବଂ ବେଙ୍ଗାଲୁରୁରେ ବିଭିନ୍ନ ଜାତୀୟ ଅଧ୍ୟାୟ ଲଞ୍ଚ କରିବା ନେଇ ସୂଚନା ଦେଇଛନ୍ତି ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ। ସେ କହିଛନ୍ତି ଯେ ମହଳା ବିଜନେସ ମେଳାର ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୫୦ ଷ୍ଟଲକୁ ପ୍ରାୟ ୧ ଲକ୍ଷ ଦର୍ଶକ ବୁଲି ଦେଖିଥିଲେ। ଏହି ମେଳାରେ ଟ୍ୱିଇଟରରେ ୩ ନଂ ସ୍ଥାନରେ ଟେଣ୍ଡ କରୁଥିଲା।

 

ଏଥିରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ, ଅଭନେତ୍ରୀ ଲାରା ଦତ୍ତ ଓ ବଲିଉଡ଼୍ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ଏବଂ ମହିଳା ସଦସ୍ୟଙ୍କ ଯୋଗଦାନ ମେଳାର ପରିଚୟ ଆହୁରି ଉପରକୁ ନେଇଯାଇଛିି। କେବଳ ସେତିକି ନୁହେଁ ରାଜନେତା, ବିଧାୟକ, କର୍ପୋରେଟ୍ ହାଉସ୍ ଏବଂ ଅମଲାତନ୍ତ୍ର ପ୍ରମୁଖ ଯୋଗଦାନ କରିଥିଲେ। ସବୁଠୁ ବଡ଼ କଥା ହେଲା ୫ ଦିନିଆ ଏହି ମେଳାରେ ୪.୫୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଏହା ସହ ଆର୍ଥିକ ବର୍ଷରେ ୧୨ କୋଟି ଟଙ୍କା ସମ୍ଭାବନା ଥିବା ନୂତନ ବ୍ୟବସାୟ ସୁଯୋଗ ଆଣିଦେଇଛି। ଏହି ମେଳା ଦ୍ୱାରା ରାଜ୍ୟର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ବ୍ୟବସାୟକୁ ପ୍ରଶସ୍ତିକରଣ କରିବା ସହ ବିଭିନ୍ନ ସଂସ୍ଥାମାନଙ୍କ ଦ୍ୱାରା ବାଣିଜ୍ୟ ସ୍ଥରରେ ଯୋଡ଼ି ହୋଇପାରିଛନ୍ତି। ମେଳା ଶେଷ ହେବା ପୂର୍ବରୁ ଅନ୍ୟ ରାଜ୍ୟରେ ମେଳା ଆୟୋଜନ ପାଇଁ ପ୍ରସ୍ତାବ ଆସିଛି। ଆସନ୍ତା ଜୁନ୍ ମାସରେ ମହିଳା ଉଦ୍ୟୋଗୀ ପରିଷଦରେ ଆଉ ୧୦୦ ମହିଳା ଉଦ୍ୟୋଗୀ ଯୋଗ ଦେବେ ଯାହା, ଆମର ଶକ୍ତି ଅଧିକ ବଢାଇ ଦେବ ବୋଲି ସୁକିର୍ତ୍ତୀ ପଟ୍ଟନାୟକ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେବି ପାଣି, ସହ ଅଧ୍ୟକ୍ଷ ଏମକେ ଗୁପ୍ତା ଓ ସହ ଆବାହକ ତନୟା ପଟ୍ଟନାୟକ ପମୁଖ ଉପସ୍ଥିତ ଥିଲେ।

Comments are closed.