ଦୀପାବଳି ପର୍ବକୁ ଆନନ୍ଦର ସହିତ ପାଳନ କରନ୍ତୁ; ଆଖିକୁ ସୁରକ୍ଷା ପ୍ରଦାନ କରନ୍ତୁ

ଭୁବନେଶ୍ୱର: ଦୀପାବଳି ଉତ୍ସବରେ ପ୍ରଦୀପ ପ୍ରଜ୍ଜ୍ୱଳନସହିତ ବାଣ ଫୁଟାଇ ଏହି ଉତ୍ସବ ପାଳନ କରାଯାଇଥାଏ । କିନ୍ତୁ ଯଦି ବାଣ ଫୁଟାଇବା ସମୟରେ ସଠିକ୍ ସାବଧାନତା ଅବଲମ୍ବନ କରାନଯାଏ ବା ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାନଯାଏ ତେବେ ଏହାଦ୍ୱାରା ତ୍ୱଚା ଓ ଆଖିରେ ଆଘାତ ଲାଗି ପାରେ । ଏହି ଚକ୍ଷୁ ଆଘାତ ଦ୍ୱାରା ଦୃଷ୍ଟି ଶକ୍ତିରେ ଗୁରୁତର ତଥା ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ । ବାଣଫୁଟା ସମୟରେ ସାଧାରଣ ପ୍ରକାର ଆଘାତରେ ସାମିଲ ରହିଛି ହାଇଫେମା, ଆଖିପତାରେ ଆଘାତ, ଟ୍ରାଉମାଟିକ ଇରିଡୋଡାୟାଲିସିସ, ରେଟିନାଲ ଡିଟାଚମେଂଟ ଓ କର୍ଣ୍ଣିଆଜନିତ ଅବକ୍ଷୟ । ସେଥିପାଇଁ ଦୀପାବଳିରେ ବାଣ ଫୁଟାଇବା ସମୟରେ ସୁରକ୍ଷାତ୍ମକ ଚଷମା ପିନ୍ଧିବା ଆବଶ୍ୟକ ଓ ପିଲାମାନଙ୍କୁ ଆଦୌ ବାଣ ଫୁଟାଇବାକୁ ଦିଆଯିବା ଉଚିତ ନୁହେଁ । ଯଦି ସେମାନେ କରନ୍ତି ତେବେ ସେମାନେ ନିଶ୍ଚିତ ଭାବରେ ଅଭିଭାବକଙ୍କ ପ୍ରତ୍ୟକ୍ଷ ନଜରରେ ରହିବା ଆବଶ୍ୟକ ବୋଲି କହିଛନ୍ତି ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟର କ୍ଲିନିକାଲ ସେବା ବିଭାଗ ମୁଖ୍ୟ ଡା. ବିଜୟ କୁମାର ମହାନ୍ତ । ସେ କହିଛନ୍ତି, ବିଶେଷ କରି ବାହାରେ ଖୋଲା ସ୍ଥାନରେ ଏବଂ ଘର, ଶୁଖିଲା ଘାସ ବା ପତ୍ର ବା ଅନ୍ୟ କୌଣସି ଦହନୀୟ ସାମଗ୍ରୀ ଠାରୁ ଦୂରରେ ବାଣ ଫୁଟାଇବା ଉଚିତ । ଜରୁରୀକାଳୀନ ପରିସ୍ଥିତି ପଇଁ ଜଣେ ନିକଟରେ ବାଲଟିରେ ପାଣି ଭର୍ତ୍ତିକରି ରଖିବା ଆବଶ୍ୟକ ଓ ଅଫୁଟା ବାଣ ଉପରେ ପାଣି ଢାଳି ଦେବା ଉଚିତ୍ । ଏକ ପାତ୍ର ମଧ୍ୟରେ ବାଣ ଫୁଟାନ୍ତୁ ନାହିଁ, ବିଶେଷ କରି ଏକ ଗ୍ଲାସ ବା ଧାତବ ପାତ୍ର ମଧ୍ୟରେ ଏପରି କରନ୍ତୁ ନାହିଁ ଓ ବାଣ ସହିତ ଖେଳିବାକୁ ଚେଷ୍ଟା କରିବା ଉଚିତ ନୁହେଁ । ଫୁଟୁ ନଥିବା ବାଣକୁ ପାଣିରେ ଭିଜାଇ ନିରାପଦରେ ଫୋପାଡ଼ି ଦିଅନ୍ତୁ । ଏପରିକି ବାଣ ଫୁଟା ଦେଖୁଥିବା ଲୋକମାନଙ୍କୁ ମଧ୍ୟ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଉଛି ଓ ବାଣ ଫୁଟାକୁ ୫୦୦ ଫୁଟ ଦୂରତାରୁ ଦେଖିବା ଉଚିତ । ଯଦି ବାଣଫୁଟା ସମୟରେ ଚକ୍ଷୁରେ କିଛି ଆଘାତ ଲାଗେ ତେବେ ନିଜେ ଉପଚାର ନକରି ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କର ପରାମର୍ଶ ନେବାର ଆବଶ୍ୟକତା ରହିଛି ।

Comments are closed.